ପେଟ୍ରୋଲିଂ ବେଳେ ୧୦ ବସ୍ତାରୁ ମିଳିଲା ଜୀବନ୍ତ କଇଁଛ

ମାଲକାନଗିରି ଜିଲ୍ଲାରେ ସକ୍ରିୟ ହୋଇଉଠିଛି ବନ୍ୟଜନ୍ତୁ ଶିକାରୀ । ହେଲେ ବନ ବିଭାଗର ତତ୍ପରତା ଯୋଗୁଁ ଆଜି ଏକ ବଡ଼ ଚୋରା ଚାଲାଣକୁ ପଣ୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାରେ ବନ୍ୟଜନ୍ତୁ ଚୋରା ଚାଲାଣକୁ ନେଇ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । MPV 48 ଗାଁ ନିକଟରୁ ବିପୁଳ ପରିମାଣର କଇଁଛ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ MPV 48 ଗାଁ ନିକଟରେ ବନ ବିଭାଗର ଏକ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦିଗ୍ଧ ବୋଲେରୋ ଗାଡ଼ିକୁ ଦେଖିବାକୁ ପାଇଥିଲେ। ବନ କର୍ମଚାରୀମାନେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡ଼ି ଚାଳକ ଏବଂ ଅନ୍ୟମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗାଡ଼ି ଯାଞ୍ଚ କରିବା ପରେ ସେଥିରୁ ପ୍ରାୟ ୧୦ ବସ୍ତା ଜୀଅନ୍ତା କଇଁଛ ଜବତ କରାଯାଇଥିଲା । ଏହି ସଫଳ ଅପରେସନରେ କାଲିମେଳା ଓ ମୋଟୁ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଏକ ମିଳିତ ଟିମ୍ କାର୍ଯ୍ୟ କରିଥିଲା । ଏହି ଟିମରେ ଫରେଷ୍ଟର ମୁରଲୀଧର ଅନୁଗୁଳିଆ, ସମୀର କୁମାର ଜେନା, ଅଲ୍ଲୀ ମହମ୍ମଦ ଖାନ ଏବଂ ଫରେଷ୍ଟ ଗାର୍ଡ ମମତା ବିଷୋୟୀଙ୍କ ସମେତ ପାରାଷ୍ଟାଫ୍ ଓ ସ୍କ୍ୱାଡ୍ ଦଳ ସାମିଲ ଥିଲେ । ବନ ବିଭାଗ ପକ୍ଷରୁ ଗାଡ଼ିଟିକୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ତେବେ ଏହି ରାକେଟ୍ ପଛରେ ଆଉ କାହାର ସମ୍ପୃକ୍ତି ଅଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।