ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ସୂଚନା ରହିଛି । ରାୟଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାର ଏହି ରାୟ ପ୍ରକାଶ କରିଛନ୍ତି । କିନ୍ତୁ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ନିର୍ଦୋଷରେ ଖଲାସ କରିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ହୋଇଥିବା ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗତ ଫେବୃଆରି ୨୦୨୦ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ର ରାୟଗଡ଼ ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଥିଲେ। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ରାୟଗଡ଼ ଜେଏମଏଫସି କୋର୍ଟରେ ହାଜର କରିଥିଲା।