ଚିଲିକା: ବହୁ ପ୍ରତିକ୍ଷୀତ ଓଡି଼ଶାର ପ୍ରଥମ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ହାଉସ୍ ବୋର୍ଟ ଗରୁଡ ଉଦଘାଟିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୋର୍ଟକୁ ଉଦଘାଟନ କରିଥିଲେ । ସମ୍ପୃକ୍ତ ଗରୁଡ ବୋର୍ଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ପର୍ଯ୍ୟଟକଙ୍କ ଲାଗି ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ବୋର୍ଟରେ ଜନ୍ମଦିନ, ରିଙ୍ଗ୍ ସେରିମନି, ବିବାହ ଉତ୍ସବ ଓ ରିସପସନ ସହିତ ରାତ୍ରୀ ରହଣିର ବ୍ୟବସ୍ଥା କରାଯାଇଛି । ଏଥିରୁ ପର୍ଯ୍ୟଟକମାନେ ଭରପୂର ମଜା ନେଇପାରିବେ ବୋଲି ଆଶା ରଖାଯାଇଛି । ଡବଲ ଇଞ୍ଜିନ ବିଶିଷ୍ଟ ସମ୍ପୃକ୍ତ ବୋଟର ଲମ୍ବ ୧୦୫ ଫୁଟ , ଓସାର ୨୨ ଫୁଟ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ରହିଛି । ଏଥିରେ ଏକାଥରକେ ୩୦ ଜଣ ଲୋକଙ୍କ ଏକାଠି ଲାଗି ବ୍ୟବସ୍ଥା କରାଯାଇଛି । ସୁସ୍ୱାଦୁ ମଧ୍ୟାହ୍ନ ଭୋଜନ ସହିତ, ରାତ୍ରି ଭୋଜନ, ସକାଳ ଜଳଖିଆର ବ୍ୟବସ୍ଥା କରାଯାଇଛି । ବୋର୍ଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ୍ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ଚିଲିକାର ମନୋରୋମ ଦୃଶ୍ୟକୁ ପର୍ଯ୍ୟଟକମାନେ ଉପଭୋଗ କରିପାରିବେ । ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭିକେ ପାଣ୍ଡିୟାନ୍, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱୀନୀ ପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।