ବବିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି

ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି ।  ଶ୍ରୀ ମହାନ୍ତି ନିଜର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ଅନୁମତି ନନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଛନ୍ତି। ସ୍ୱତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି, ଆମେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଏଫଆଇଆର ଦେଇଛୁ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛୁ ଯେ ସେ କାହିଁକି ନିଜ ସରକାରୀ ଘର ପରିସରରେ ବେଆଇନ ନିର୍ମାଣ କରିଥିଲେ ଏବଂ ସେଠାରେ କ’ଣ ଚାଲିଥିଲା, ତା’ର ତଦନ୍ତ ହେଉ। ସରକାରୀ ଘର ନେବା ପରେ ସେଠାରେ କିଛି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଅନୁମତି ନେବାକୁ ପଡ଼େ। କିନ୍ତୁ ଶ୍ରୀ ଦାସ ଅନୁମତି ନେଇ ନଥିଲେ। ସେ ତାଙ୍କ ସରକାରୀ ଘରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିଥିଲେ ଓ ତାଙ୍କୁ ଏବେ ଭାଙ୍ଗି ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଲୋକେ ଆଲୋଚନା କରୁଛନ୍ତି ଯେ ସେଠାରେ ରଙ୍ଗମହଲ ଚାଲିଥିଲା। ସେଠାରେ ଖଣି ଓ ଅନ୍ୟାନ୍ୟ ବ୍ୟବସାୟର କଳାଧନ ନିବେଶ ହୋଇଥିଲା। ଏ ସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଛୁ।

 ସୂଚନା ଅନୁଯାୟୀ, ବବିଙ୍କୁ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସଟି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ କ୍ୱାର୍ଟର୍ସ ଦୁଇ ପାର୍ଶ୍ୱରେ ଥିବା ଅନ୍ୟ ୨ଟି ସରକାରୀ କ୍ୱାର୍ଟର୍ସ ଯଥା- ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଏହାସହିତ ପ୍ରାୟ ୨ରୁ ୩କୋଟି ଟଙ୍କା ଖର୍ଚ୍ଚ କରି ଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ ମୂଲ୍ୟବାନ କାଠ ଓ କାଚରେ ଆଲିଶାନ ଘର ନିର୍ମାଣ କରିଥିଲେ। ଏବେ ବିଜେଡି କ୍ଷମତାରୁ ଯିବାପରେ ବବିò ସେହି ଘରକୁ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।