ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ

ଭୁବନେଶ୍ଵର: ରାତି ଅଧରେ ପାଣ୍ଡରା ଅଞ୍ଚଳରେ ଛାତିଥରା ଘଟଣା । ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି ଅସ୍ପଷ୍ଟ ।

ସୂଚନା ଅନୁସାରେ, ମୃତକ ଆଇନଜୀବୀ ଜଣଙ୍କ ହେଉଛନ୍ତି ୪୬ ବର୍ଷୀୟ ଦୀପକ ସାହୁ । ଗତକାଲି ହଠାତ୍ ଗରମ ଲାଗୁଛି କହି ଛାତ ଉପରକୁ ଯାଇଥିଲେ ଦୀପକ । ମାତ୍ର ଆଉ ଫେରିନଥିଲେ । ଛାତ ସିଡି କବାଟ ବନ୍ଦ କରି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦୀପକ । ଛାତ ଉପରେ କେହି ଜଣେ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁକିଛି ସରିଯାଇଥିଲା । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା ପୋଲିସ । ତେବେ ଆତ୍ମଦାହର କାରଣ ଜଣାପଡିନଥିବା ବେଳେ ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିବା ନେଇ ସୂଚନା ମିଳିଛି । ସେପଟେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।