ରାଜଧାନୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ରାଜଧାନୀରେ ବିପର୍ଯ୍ୟସ୍ତ ହୋଇ ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ରାଜ୍ୟର ସବୁଠାରୁ ଦକ୍ଷ, ଆଧୁନିକ ସାଜ ସରଞ୍ଜାମରେ ସମୃଦ୍ଧ କମିଶନରେଟ ପୁଲିସକୁ ଅପରାଧି ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । କେଉଁଠି ଦିନ ଦ୍ୱିପ୍ରହରେ କାହାକୁ ବିଚ ରାସ୍ତାରେ ହାଣିଲେଣି ତ ପୁଣି କେଉଁଠି କାହା ଘରେ ବୁଲାଇଲେଣି କଳାକନା । କିନ୍ତୁ ଅପରାଧିଙ୍କ ପାଖରେ ପହଞ୍ଚି ପାରୁନି ପୁଲିସ । ଏସବୁ ଦେଖି ଲାଗୁଛି, ପୁଲିସକୁ ଯେମିତି ଅପାରଗ କରିଦେଲେଣି ଅପରାଧି ।

ଦୁଇ ଦିନ ତଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ଇଞ୍ଜିନୟରଙ୍କୁ ଖଣ୍ଡାରେ ଦୁର୍ବୃତ୍ତମାନେ ହାଣି ତାଙ୍କ ସୁନା ଚେନ ଲୁଟିନେଇଥିଲେ । ଏହାର ୫ ଦିନ ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ଜଣେ ମହିଳାଙ୍କ କାନ ଫୁଲ ଛିଣ୍ଡେଇ ନେଇଥିଲେ ଦୁର୍ବୃତ୍ତ । ଏ ତ ଗଲା ରାସ୍ତା ଘାଟ କଥା । ରବିବାର ଦିନ ଖଣ୍ଡଗିରି ଥାନା ଅଧୀନରେ ଓୟୁଏଟିର ଜଣେ ପଶୁଚିକିତ୍ସକଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରେ ବୁଲାଇ ଦେଇଛନ୍ତି କଳା କନା । ଘରେ ପଶି ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୧୦ ହଜାର ଟଙ୍କା, ଲ୍ୟାପ୍ଟପ୍, ମୋବାଇଲ ଆଦି ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ କରିଛନ୍ତି ଦୁର୍ବୃତ୍ତ । ଏନେଇ ଡାକ୍ତର ଖଣ୍ଡଗିରି ଥାନାରେ ଆଜି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟର ସବୁଠାରୁ ଦକ୍ଷ ପୁଲିସ ଅଫିସରଙ୍କୁ ନେଇ ଗଠିତ ଦ୍ୱୈତ୍ୟ ନଗରୀର କମିଶନରେଟ ପୁଲିସ କରୁଛି କଣ? ଭୁବନେଶ୍ୱରକୁ ଅପରାଧ ମୁକ୍ତ କରିବାର ନାରା ଦେଇଥିବା କମିଶନରରେଟ ପୁଲିସ ନାକ ତଳେ ଦିନ ରାତି ସବୁ ସମୟରେ ଲୁଟ, ରାହାଜାନି, ଛିନତାୟୀ, ହତ୍ୟା, ମରଣାନ୍ତକ ଆକ୍ରମଣ ହେଉଛି । କିନ୍ତୁ ଅପରାଧୀଙ୍କୁ ଧରି ରାଜଧାନୀକୁ ଅପରାଧ ମୁକ୍ତ କରିବାରେ କାହିଁକି କମିଶନରେଟ ପୁଲିସ ବିଫଳ ହୋଇଛି? ଏହା ଦେଖି ରାଜଧାନୀ ବାସୀ ଭୟରେ ଦିନରେ ମଧ୍ୟ ଘରୁ ବାହାରିବାକୁ ଭୟ କରୁଛନ୍ତି । ଅପରାଧିଙ୍କ ପାଖରେ ପୁଲିସ ଦୁର୍ବଳ ହୋଇ ପଡିଥିବା ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି ।