ମାହାଙ୍ଗା ଗଣହତ୍ୟା: ବିଷ ଦେଇ ନୁହଁ ସମସ୍ତଙ୍କୁ ଜିଅନ୍ତା ହାଣିଥିଲା ହତ୍ୟାକାରୀ ଶିବ

ମାହାଙ୍ଗା: ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ। ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ ରହିଛି କ୍ଷତ ଚିହ୍ନ। କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଟଣାଭିଡ଼ା ଓ ଜୋରଜବରଦସ୍ତ ଭିତରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି । ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏହି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।

ତେବେ ହତ୍ୟା ପୂର୍ବରୁ ବିଷ ଦିଆଯାଇଥିବା ନେଇ ସନ୍ଦେହ କରା ଯାଉଥିଲା। କିନ୍ତୁ ବିଷକ୍ରିୟା ଯୋଗୁଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ ।ଗତ ୧୧ ତାରିଖ ରାତିରେ ମାହାଙ୍ଗାର କୁସୁପୁରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ବିଭତ୍ସ ଭାବେ ହତ୍ୟା କରିଥିଲେ । ବଡ଼ ଭାଇର ପୁରା ପରିବାରକୁ ନିପାତ କରି ଦେଇଥିଲା ସାନ ଭାଇ। ବଡ଼ ଭାଇ, ଭାଉଜ, ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସାନ ଭାଇ ଶିବ ସାହୁ।

ସୂଚନା ଅନୁଯାୟୀ, ଘଟଣା ଦିନ ସଂଧ୍ୟା ସାଢ଼େ ୬ଟାରେ ଶିବ ଓ ବଡ଼ଭାଇ ଅଲେଖ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗଣ୍ଡଗୋଳ ପରେ ବଡ଼ଭାଇର ସପରିବାରକୁ ନିଶ୍ଚିହ୍ନ କରିଦେବାକୁ ଶିବ ନେଇଥିଲା ଭୟଙ୍କର ନିଷ୍ପତ୍ତି। ସେଥିପାଇଁ ହତ୍ୟା ପୂର୍ବରୁ ଧାର କରି ରଖିଥିବା ନୂଆ କଟୁରୀକୁ ଧରି ସେଦିନ ରାତିରେ ବଡ଼ ଭାଇଙ୍କ ଘରେ ପହଞ୍ଚିଥିଲା। କବାଟ ବାଡେଇବା ପରେ ପ୍ରଥମେ ଭାଉଜ କବାଟ ଖୋଲିଥିଲେ। ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା ଶିବ । ଆଉ ତାପରେ ଗୋଟି ଗୋଟି କରି ପରିବାରର ସମସ୍ତଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲା । କାଳେ ସମସ୍ତେ ବଞ୍ଚିଯିବେ, ସେଥିପାଇଁ ସମସ୍ତଙ୍କ ହାତର ଶୀରା ଓ ଗୋଡ଼ର ଗୋଛି କାଟି ଦେଇଥିଲା ଶିବ। ଏଭଳି କାଣ୍ଡ ଭିଆଇବା ପୂର୍ବରୁ ନିଜ ପିନ୍ଧା ଲୁଙ୍ଗିକୁ ସେ ଖୋଲି ପକାଇଥିଲା। ଆଉ ସମସ୍ତଙ୍କୁ ଆକ୍ରମଣ କରି ଘରକୁ ଫେରିବା ସହ କିଛି ସମୟ ପରେ ଆତ୍ମସମର୍ପଣ ପାଇଁ ବାଲିଚନ୍ଦ୍ରପୁର ଥାନାକୁ ଯାଇଥିଲା। ହତ୍ୟାରେ ବ୍ୟବହୃତ କଟୁରୀ ଓ ଶିବର ମୋବାଇଲ ଫୋନକୁ ପୋଲିସ ସିଜ୍ କରିଥିଲା।