ମହିଳାଙ୍କ ଥାଇରଏଡ୍, ରକ୍ତଚାପ, ପିସିଓଡି, ପିସିଓଏସ୍ ଭଳି ସମସ୍ୟା ଦୂର କରିବ ଏହି ୪ ସହଜ ଯୋଗାସନ

0

ଭୁବନେଶ୍ୱର : ଛୋଟ ପିଲା ହୁଅନ୍ତୁ କି ବଡ ମଣିଷ, ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ | ଏଣୁ ଭଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଯୋଗାସନ | ପୁରୁଷ ହୁଅନ୍ତୁ କିମ୍ବା ମହିଳା, ବୟସ୍କ ହୁଅନ୍ତୁ କିମ୍ବା କୁନି କୁନି ପିଲା ଯୋଗ ଅଭ୍ୟାସ କରିବା ଉଚିତ। ବିଶେଷ କରି ଅଧିକାଂଶ ମହିଳା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ହେତୁ ନିଜ ପାଇଁ ସମୟ ବାହାର କରି ପାରନ୍ତି ନାହିଁ | ଏଣୁ ପ୍ରାୟତଃ ମହିଳାମାନେ ମେଦବହୁଳତା, ରକ୍ତଚାପ, ସୁଗାର୍, ଆଣ୍ଠୁ ଯନ୍ତ୍ରଣା ଏବଂ ଥାଇରଏଡ୍ ପରି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଥାଇରଏଡ୍, ପିସିଓଡି ପରି ସମସ୍ୟା ଯୋଗୁ ଭବିଷ୍ୟତରେ ମଧ୍ୟ ଅନେକ କଷ୍ଟ ପାଇଥାନ୍ତି |

ଏହିସବୁ ଶାରୀରିକ ସମସ୍ୟାରୁ ଦୂରେଇ ରହିବା ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ମହିଳା ଦିନର ବ୍ୟସ୍ତବହୁଳ କାର୍ଯ୍ୟରୁ ନିଜ ପାଇଁ ସମୟ ବାହାର କରିବା ଜରୁରୀ ଆଉ କିଛି ଯୋଗ କରିବା ଆବଶ୍ୟକ। ଏଠାରେ ଆପଣଙ୍କୁ କିଛି ସହଳ ସରଳ ଯୋଗାସନ ବିଷୟରେ କୁହାଯାଉଛି ଯାହା ଗୃହିଣୀମାନଙ୍କ ପାଇଁ ଲାଭଦାୟକ। ଏହିସବୁ ଯୋଗାସନ ବିଷୟରେ ଜାଣନ୍ତୁ ଆଉ ପ୍ରତିଦିନ ଅଭ୍ୟାସ କରନ୍ତୁ।

ବାଳାସନ:

ବାଳାସନ କରିବା ପାଇଁ ପ୍ରଥମେ ବଜ୍ରାସନରେ ବସନ୍ତୁ ଏବଂ ଶ୍ୱାସ ନେଇ ଦୁଇ ହାତକୁ ସିଧା ମୁଣ୍ଡ ଉପରକୁ ଉଠାନ୍ତୁ। ବର୍ତ୍ତମାନ ଶ୍ୱାସ ଛାଡି ଶରୀରକୁ ଆଗକୁ ନୁଆଁନ୍ତୁ। ହାତ ଏବଂ ମୁଣ୍ଡକୁ ଭୂମିରେ ରଖି ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ। ହାତର ଆଙ୍ଗୁଠିକୁ ଏକତ୍ର କରି ଦୁଇ ହାତ ମଝିରେ ମୁଣ୍ଡକୁ ଧୀରେ ରଖନ୍ତୁ। କିଛି ସମୟ ପରେ ପୂର୍ବ ସ୍ଥିତିକୁ ଫେରି ଆସନ୍ତୁ। ଏହି ଆସନ କରିବା ଦ୍ୱାରା ଶରୀର ନମନୀୟ ରହିଥାଏ ଏହି ଯୋଗାସନ ଅଭ୍ୟାସ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଚାପ କମିଯାଏ। ଏଥିସହ ବ୍ୟାକ ପେନରୁ ରିଲିଫ ମିଳିଥାଏ |

   ବାଳାସନ

ଧନୁରାସନ:

ଧନୁରାସନ କରିବାକୁ ହେଲେ ପେଟ ମାଡି ଶୋଇପଡନ୍ତୁ, ଆଣ୍ଠୁକୁ ପଛ ପରେ ଭାଙ୍ଗି ଏବଂ ପାପୁଲିରେ ପାଦକୁ ବଳାଗଣ୍ଠି ପାଖରୁ ଧରନ୍ତୁ। ବର୍ତ୍ତମାନ ନିଜ ସାମର୍ଥ୍ୟ ଅନୁଯାୟୀ ଗୋଡ ଏବଂ ହାତକୁ ଉପରକୁ ଉଠାନ୍ତୁ। ଉପରକୁ ଚାହିଁ କିଛି ସମୟ ପାଇଁ ଏହି ଅବସ୍ଥାରେ ରୁହନ୍ତୁ ଏବଂ ତାପରେ ସାଧାରଣ ସ୍ଥିତିକୁ ଫେରି ଆସନ୍ତୁ। ଏହି ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ। ଧନୁରାସନ କରିବା ଫଳରେ ମହିଳାମାନଙ୍କର ମାସିକ ଋତୁସ୍ରାବଜନିତ ସମସ୍ୟା ଦୁରେଇ ଯାଇଥାଏ ଏହି ଯୋଗାସନ ମାଂସପେଶୀର ଭଲ ପ୍ରସାରଣ କରିଥାଏ, ଯାହା ପେଟର ଚର୍ବିକୁ କମ  କରିଥାଏ।

    ଧନୁରାସନ

ସୁଖାସନ:

ମାନସିକ ଏବଂ ଶାରୀରିକ ଶାନ୍ତି ପାଇଁ ସୁଖାସନ ଅଭ୍ୟାସ ସହାୟକ ହୋଇଥାଏ। ଯୋଗ ଆରମ୍ଭ କରିବା ପୂର୍ବରୁ ଏହି ଆସନ କରାଯାଇଥାଏ, ଯାହାଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ ହୋଇପାରେ। ଏହି ଆସନ କରିବା ପାଇଁ, ଚକାପକାଇ ଆରାମରେ ବସନ୍ତୁ ଏବଂ ଉଭୟ ଆଖି ବନ୍ଦ କରି ଆଣ୍ଠୁ ଉପରେ ହାତ ପାପୁଲି ରଖନ୍ତୁ। ତାପରେ ଏକ ଦୀର୍ଘ ଶ୍ୱାସ ନିଅନ୍ତୁ। ଏହି ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ।

 ସୁଖାସନ

ମଳାସନ:

ମଳାସନ ଅଭ୍ୟାସ କରିବାକୁ ହେଲେ ସିଧା ଠିଆ ହୁଅନ୍ତୁ। ବର୍ତ୍ତମାନ ଆଣ୍ଠୁ ଭାଙ୍ଗି ନମସ୍କାର ମୁଦ୍ରାରେ ଅଧା ବସନ୍ତୁ। ଏହି ସମୟରେ, ଆଣ୍ଠୁ ମଧ୍ୟରେ ଦୂରତା ବଜାୟ ରଖନ୍ତୁ। ଦେଖିବେ ମଳାସନ ଅଭ୍ୟାସ କରିବା ଦ୍ୱାରା ଗୋଡ ଏବଂ ଜଙ୍ଘର ଅସ୍ଥି ମଜବୁତ ହୁଏ। ଆହୁରି ମଧ୍ୟ, ଏହା ଗୋଡ କିମ୍ବା ଜଙ୍ଘକୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହା ଛାଡା ଯଦି ଆମେ ସକାଳୁ ପାଣି ପିଇବା ସମୟରେ ମଳାସନରେ ବସି ପିଇବା ତେବେ ପେଟ ସଫା ହେବା ସହ ପେଟର ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ |

        ମଳାସନ


ଏହି ସବୁ ସରଳ ଆସନ କରିବା ଫଳରେ ଆମ ଜୀବନ ମଧ୍ୟ ଅତି ସରଳ ହୋଇଯିବ ଆଉ ସମସ୍ତେ ସୁସ୍ଥ ରହିବେ |