ଆନିମିଆ ମୁକ୍ତ ମୟୂରଭଞ୍ଜ’ ପାଇଁ ଖିମଜୀ ଦୟାଭାଇ କୋ ଗ୍ରୁପ୍ ଦେଲା ଆହ୍ୱାନ

ମୟୂରଭଞ୍ଜ ଜିଲ୍ଲାରେ ମହିଳା ଓ ଶିଶୁମାନଙ୍କ ଠାରେ ଦେଖାଯାଉଥିବା ବ୍ୟାପକ ଆନିମିଆ ବା ରକ୍ତହୀନତାକୁ ରୋକିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଖିମଜୀ ଦୟାଭାଇ କୋ ଗ୍ରୁପ୍ ବାରିପଦାର ସହିଦ୍ ସ୍ମୁତି ଭବନରେ ‘ଆନିମିଆ ମୁକ୍ତ ମୟୂରଭଞ୍ଜ’ ଅଭିଯାନ ଆରମ୍ଭ କରିଛି । ଉଚିତ୍ ସମୟରେ ଯାଞ୍ଚ ଓ ନିବାରଣ ଅଭ୍ୟାସ ସମ୍ବନ୍ଧରେ ସଚେତନତା ସୃଷ୍ଟି କରି ଆନିମିଆକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ଅଭିଯାନ ହେଉଛି ଏକ ଜିଲ୍ଲାସ୍ତରୀୟ ଜନସ୍ୱାସ୍ଥ୍ୟ ସୁରକ୍ଷା ପଦକ୍ଷେପ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଓ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ନିହାରିକା ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ଦିଗରେ ମାର୍ଗଦର୍ଶନ କରିଥିଲେ ।

କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟ ଅତିଥି, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ କହିଥିଲେ, “ମୟୂରଭଞ୍ଜ ଜିଲ୍ଲାରେ ଆନିମିଆ ଏକ ଗୁରୁତର ସମସ୍ୟା ରୂପେ ରହିଛି ଏବଂ ଏହା ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରୁ  ଅନ୍ୟତମ ଯାହା ଅତ୍ୟନ୍ତ ଚିନ୍ତାଜନକ । ଏହାର ମୁକାବିଲା ପାଇଁ ଆଇସିଡିସି ପ୍ରକଳ୍ପ ଓ ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ବ୍ଲକ୍ ସ୍ତରରେ ଆୟରନ ଟାବଲେଟ୍ ବଣ୍ଟନ ସହିତ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗ୍ରାମ ସ୍ତରରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ସକ୍ରିୟ ଭାବେ କାମ କରୁଛନ୍ତି ଏବଂ ଏଏନ୍ଏମ୍ ଓ ଆଶା କର୍ମୀମାନଙ୍କ ଆନିମିଆ ପରୀକ୍ଷା ଓ ସଚେତନତା କାର୍ୟ୍ୟ ବହୁମାତ୍ର ରେ ଫଳପ୍ରଦ ହେଇଛି । ଆନିମିଆ ନିୟନ୍ତ୍ରଣ ପାଇଁ ସାମୁହିକ ଦାୟିତ୍ୱ ଅତ୍ୟାବଶ୍ୟକ, ଏହା କେବଳ ପରିବାର ର ନୁହେଁ, ସମଗ୍ର ସମାଜର ଦାୟିତ୍ୱ ।”

ଆନିମିଆ ବିଷୟରେ ସଚେତନତା ଆଣିବା ଓ ଲୋକମାନଙ୍କ ଭାଗିଦାରୀତା ବଢାଇବା ପାଇଁ ‘ଆନିମିଆ ମୁକ୍ତ ମୟୂରଭଞ୍ଜ’ ଅଭିଯାନର ଲୋକାର୍ପଣରେ ଅନେକଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆନେମିଆର କାରଣ, ଲକ୍ଷଣ ଓ ନିବାରଣକୁ ଭିତ୍ତିକରି ଏକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା ଯାହା ଆଗକୁ ଯାଇ ଜିଲ୍ଲାରେ ୨୬ଟି ବ୍ଲକ୍ରେ ଅନୁଷ୍ଠିତ ହେବାର ଯୋଜନା ରହିଛି । ଏହା ବ୍ୟତୀତ ଆନିମିଆରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ଖାଦ୍ୟଭ୍ୟାସ, ଜୀବନଶୈଳୀ ଓ ଆନିମିଆ ଚିହ୍ନଟ ପାଇଁ ଏହାର ବିଭିନ୍ନ ଲକ୍ଷଣ ବିଷୟରେ ଅବଗତ କରାଇବା ପାଇଁ ଏକ ପ୍ରଚାର ଗାଡିକୁ ଜିଲ୍ଲାପାଳ ଓ ଉପସ୍ଥିତ ଅନ୍ୟ ଅତିଥିମାନଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରଚାର ଗାଡି ଆଗାମୀ ୧୦ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକରେ ପହଞ୍ଚି ସଚେତନତା ସୃଷ୍ଟିକରିବ । ଏହି କାର୍ଯ୍ୟକ୍ରମରେ ଏକ ଆନିମିଆ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା, ଯେଉଁଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ୩୦ରୁ ଉର୍ଦ୍ଧ ମହିଳାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ପକ୍ଷରୁ ୧୬ହଜାର ଆନିମିଆ ଟେଷ୍ଟିଙ୍ଗ୍ କିଟ୍ ସହ ୧୬ଟି ଟେଷ୍ଟିଙ୍ଗ୍ ମେସିନ୍ ପ୍ରଦାନ କରାଯାଇଥିଲା ।

ସଭାକୁ ସମ୍ବୋଧନ କରି ମୟୂରଭଞ୍ଜ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. କିଶୋର କୁମାର ଆଚାର୍ୟ୍ୟ, କହିଥିଲେ, “ଖିମଜି ଦୟା ଭାଇ କୋ ଗ୍ରୁପ୍ ବାରିପଦାରେ ଏକ ବିଶ୍ୱସନୀୟ ନାମ ଭାବେ ପରିଚିତ ଏବଂ ମୁଁ ଅନେକ ବର୍ଷଧରି ଏହି ସଂସ୍ଥାକୁ ଜାଣିଛି । ବ୍ୟବସାୟୀକ ସୀମାରୁ ବାହାରକୁ ଯାଇ ଆନିମିଆ ସଚେତନତା ପରି ଏକ ଗୁରୁତ୍ୱପୂର୍ଣ୍ଣ କାରଣରେ ସହଯୋଗ କରୁଥିବା ଦେଖି ଖୁସି ଲାଗୁଛି । ଆମ ଜିଲ୍ଲାରେ, ବିଶେଷକରି ମହିଳା ଓ ଶିଶୁମାନଙ୍କ ମଧ୍ୟରେ, ଆନିମିଆ ଏକ ଗମ୍ଭୀର ସମସ୍ୟା କିନ୍ତୁ ଏହା ରୋକା ଯାଇପାରିବ । ମାଗଣା ଔଷଧ ଓ ପୋଷଣ କାର୍ୟ୍ୟକ୍ରମ ଥିଲେ ମଧ୍ୟ, ଅବିଶ୍ୱାସ, ଭ୍ରାନ୍ତିଧାରଣା, ଅସ୍ୱଚ୍ଛତା ଓ ଅପ୍ରାପ୍ତ ବୟସରେ ଗର୍ଭଧାରଣ ଭଳି ସମସ୍ୟା ଆମକୁ ପଛକୁ ଟାଣୁଛି । କିଶୋରୀ ଗର୍ଭଧାରଣ ଓ ଗୁରୁତର ଆନିମିଆ ସହ ଜଡିତ ଉଚ୍ଚ ମାତୃମୃତ୍ୟୁ ହାରକୁ ଦେଖି, ଆମେ ମନୋଭାବ ଓ ସ୍ୱାସ୍ଥ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଅତ୍ୟାବଶ୍ୟକ । ଠିକ୍ ପୋଷଣ, ନିୟମିତ ସପ୍ଲିମେଣ୍ଟ ଓ ସଚେତନତା ମାଧ୍ୟମରେ ଆମେ ସମେତେ ମିଶି ଆଗାମୀ ପିଢି ପାଇଁ ଏକ ସ୍ୱସ୍ଥ, ଅନିମିଆ- ମୁକ୍ତ ଭବିଷ୍ୟତ ଗଢିପାରିବୁ।”

ଖିମଜୀ ଦୟାଭାଇ କୋ ଗ୍ରୁପ୍ ପୂର୍ବ ଭାରତର ବାରିପଦାରେ ଅବସ୍ଥିତ ଏକ ପ୍ରିମିୟମ୍ ଉନ୍ନତିଶୀଳ ଏବଂ ବିଶ୍ୱାସନୀୟ ଗହଣା ବ୍ରାଣ୍ଡ୍ । ୮୯ ବର୍ଷରୁ ଅଧିକ ସମୃଦ୍ଧ ଐତିହ୍ୟ ସହିତ, ଏହି ଗ୍ରୁପ୍ ଓଡ଼ିଶାର ଗହଣା ଶିଳ୍ପରେ ପାରଦର୍ଶିତା, ଗୁଣମାନ ଏବଂ ବିଶ୍ୱାସକୁ ସ୍ଥାପିତ କରିଥିବା ଘରେ ଘରେ ପରିଚିତ ଏକ ନାମ । ସୁକୌଶଳ ନିର୍ମାଣ ଏବଂ ସମୃଦ୍ଧ ପାରମ୍ପରିକ ଐତିହ୍ୟ କୁ ଭିତ୍ତି କରି ଖିମଜି ଦୟାଭାଇ କୋ ଗ୍ରୁପ୍  ଆଧୁନିକ ପରିଚୟକୁ ସୁଦୃଢ କରିପାରିଛି, ଯେଉଁଥିରେ ସୌନ୍ଦର୍ୟ୍ୟ, ନୂଆପଣ ଓ  ଆଧୁନିକ ରୂଚିର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ । ଏହା ଅଞ୍ଚଳର ଗହଣା ଶିଳ୍ପରେ ବିଶ୍ୱାସ ଏବଂ ପାରଦର୍ଶିତାର ନୂତନ ମାନଦଣ୍ଡ ସୃଷ୍ଟି କରି ଆସୁଛି ।