ଜୟନ୍ତ କୁମାର ସେଠୀ / ଗୋପ: ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଖସାପଡା ନୀତି । ଏଥିପାଇଁ ଅପରାହ୍ଣ ୫ ଟା ରୁ ରାତି ୧୦ ଟା ପର୍ୟ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀ ମନ୍ଦିରରେ ପାଳନ ହୁଏ ବାର ମାସରେ ୧୩ ପର୍ବ। ସେଥି ମଧ୍ୟରୁ ମହାପ୍ରଭୁ ଙ୍କ ସ୍ଵତନ୍ତ୍ର ନୀତି ଭିତରେ ଖସା ପଡ଼ା ନୀତି ଏକ ସ୍ଵତନ୍ତ୍ର ନୀତି । ଏହା ଏକ ଗୁପ୍ତ ସେବା ହେଇଥିବାରୁ ଏହି ନୀତି ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଁଞ୍ଚିଥାଏ । ଏଣୁ ଖସାପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ । ଏହା ଦଇତାପତି ସେବାୟତମାନଙ୍କର ଗୋଷ୍ଠି ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ଏହା ସହ
ଦିଅଁମାନେ ହୋଲି ଖେଳିଲା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ ।
ଏହି ନୀତି ପାଇଁ ପୂର୍ଵ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇଥାଆନ୍ତି ଏବଂ ଗାରଦରେ ଜମା ଦେଇଥାନ୍ତି। ଶୁଦ୍ଧ ସୁଆର ଖଳି କଇଁଥ ଅଠା ଯୋଗାଈଥାନ୍ତି । ଆଜି ମଧ୍ୟାନ୍ନ ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ହେବ । ବେହେରାଣ ଦ୍ୱାର ଦେଇ ପାଳିଆ ଦଇତାପତିମାନେ ଗର୍ଭ ଗୃହକୁ ପ୍ରବେଶ କରିବେ । ଏହାପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପୂର୍ଣ୍ଣ କରିବେ । ଧଳାକନା ଖଳି ଓ କଇଂଥ ଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସଜେଇବେ। ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ ତେଣୁ ରାତି ୧୦ଟାରେ ଏହି ନୀତି ଶେଷ ହେବ ବୋଲି ନୀତି ଧାର୍ୟ୍ୟ କରାଯାଇଛି । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ଏହି ନୀତି ଶେଷ ହେବା ପରେ ପୁଣି ଆରମ୍ଭ ହୋଇ ଥାଏ ମହାପ୍ରଭୁ ଙ୍କ ଦର୍ଶନ