ପୀଡିତ ପରିବାରଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ବୁଧବାର କାଶ୍ମୀର ବନ୍ଦ ଡାକରା

ଜମ୍ମୁ-କଶ୍ମୀର-: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀଙ୍କ ଗୁଳିରେ  ନିରୀହ ଲୋକଙ୍କ ଜୀବନ ଗଲା । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶବାସୀଙ୍କ ମଧ୍ୟରେ କ୍ରୋଧ ଆଉ ଘୃଣା ବଢ଼ିବାରେ ଲାଗିଛି  । ଏହି ସମୟରେ, ଜମ୍ମୁ ଏବଂ କଶ୍ମୀରର ଅନେକ ରାଜନୈତିକ ଦଳ ଆକ୍ରମଣକୁ ନିନ୍ଦା କରି ପୀଡିତ ପରିବାରଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ବୁଧବାର କାଶ୍ମୀର ବନ୍ଦ ଡାକରା ଦେଇଛନ୍ତି ।

ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନସି) ଲୋକମାନଙ୍କୁ ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିବାରେ ଯୋଗ ଦେବାକୁ ନିବେଦନ କରିଛି । ଜମ୍ମୁ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ମେହବୁବା ମୁଫତି ପୀଡିତଙ୍କ ପରିବାର ସହିତ ଏକତା ପ୍ରକାଶ କରିଛନ୍ତି । ସେ ବନ୍ଦକୁ ସମର୍ଥନ କରି କହିଛନ୍ତି ଯେ, ଏହା “ଆମ ସମସ୍ତଙ୍କ ଉପରେ ଆକ୍ରମଣ”। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ଜମ୍ମୁ ଚାମ୍ବର ଏବଂ ବାର ଆସୋସିଏସନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି । ସେ କହିଛନ୍ତି, ପହଲଗାମରେ ହୋଇଥିବା ନୃଶଂସ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସମ୍ମାନାର୍ଥେ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ମୁଁ ସମସ୍ତ କାଶ୍ମୀରବାସୀଙ୍କୁ ଏକାଠି ହେବାକୁ ନିବେଦନ କରୁଛି । ଏହା କେବଳ କିଛି ବଛା ବଛା ଲୋକଙ୍କ ଉପରେ ଆକ୍ରମଣ ନୁହେଁ – ଏହା ଆମ ସମସ୍ତଙ୍କ ଉପରେ ଆକ୍ରମଣ । ଆମେ ଦୁଃଖ ଏବଂ କ୍ରୋଧରେ ଏକାଠି ଛିଡ଼ା ହୋଇଛୁ ଏବଂ ନିରୀହ ଲୋକଙ୍କ ହତ୍ୟାକାଣ୍ଡର ନିନ୍ଦା କରିବା ପାଇଁ ଏହି ବନ୍ଦଡାକରାକୁ ଦୃଢ଼ ସମର୍ଥନ କରୁଛୁ ।

ସେପଟେ ଜମ୍ମୁ-କଶ୍ମୀରର ଉପଜିଲ୍ଲାପାଳ ମନୋଜ ସିହ୍ନା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଜମ୍ମୁ-କଶ୍ମୀର ସରକାର ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପ ଡେସ୍କ ସ୍ଥାପନ କରିଛନ୍ତି । ସହାୟତା କିମ୍ବା ସୂଚନା ଆବଶ୍ୟକ କରୁଥିବା ପର୍ଯ୍ୟଟକମାନେ ହେଲ୍ପଲାଇନ୍ ଜରିଆରେ ଯୋଗାଯୋଗ କରି ସୂଚନା ପାଇପାରିବେ । ଜରୁରୀକାଳୀନ ସହାୟତା ନମ୍ବରଗୁଡିକ ହେଉଛି – ୦୧୯୩୨୨୨୨୩୩୭, ୭୭୮୦୮୮୫୭୫୯, ୯୬୯୭୯୮୨୫୨୭ ଏବଂ ୬୦୦୬୩୬୫୨୪୫ ।