ଭୁବନେଶ୍ଵର: ଋତୁ ଚକ୍ରର ତାଳେ ତାଳେ ବଦଳି ଥାଏ ପ୍ରକୃତିର ଚିତ୍ର । ବିଶେଷ କରି ଶରତ ରୂତୁରେ ଧରଣୀର ଶୋଭା ବଢାଇଥାଏ କାଶତଣ୍ଡି ଫୁଲ । ମନେହୁଏ ସତେଯେମିତି ଧଳା ଚାଦର ବିଛାଇ ଦେଇଛନ୍ତି ସ୍ୱର୍ଗର କେଉଁ ଦେବଦୂତ । ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି ରାଣୀ କାଶତଣ୍ଡି ।ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୁର୍ବ ସୃଷ୍ଟି। ଆଉ କହୁଛି ହେ ମଣିଷ ମାନେ ପୃଥିବୀକୁ ପାର୍ବଣ ଆସିଗଲା । ଶରତ ରୂତୁରେ ମା ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ସତେ ଯେମିତି ଧରାପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡି ।
ଏହି ଅପୂର୍ବ ଦୃଶ୍ୟକୁ ଦେଖି ଅଟକି ଯାଉଛି ବାଟୋଇ। ଆନମନା ହେଉଛି କବି ପ୍ରାଣ। ପୁଲକିତ ହେଉଛି ଧରା। ଚଳଚଞ୍ଚଳ ହେଉଛି କବିର କବିତା। ନୂଆ ଭାବନା ଓ ସାହିତ୍ୟ ରଚନା କୁ ଉତ୍ସାହିତ କରୁଛି କାଶତଣ୍ଡି। ସୁନୀଳ ଆକାଶ ତଳେ ଦୂର ଦିଗବଳୟ ପର୍ଯ୍ୟନ୍ତ ବିସ୍ତାର ହୋଇଛି ଶୁଭ୍ର ବସ୍ତ୍ର ପରିଧାନ କରିଥିବା କାଶତଣ୍ଡି। ଓଡ଼ିଆ ସଂସ୍କୃତି ଓ କାଶତଣ୍ଡି ମଧ୍ୟରେ ରହିଛି ଅନେକ ନିବିଡ଼ତା। ରେଖା ପଞ୍ଚମୀରେ କାଶତଣ୍ଡି ଗୁଚ୍ଛ କୁ ଘର କବାଟ ରେ ବାନ୍ଧି ପୂଜା କରାଯାଏ। କାଶତଣ୍ଡିର ଆଲଟ ଚାମର ରେ ମା ଦୁର୍ଗାଙ୍କ ଧରବତାରଣ ହୁଏ। ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜା ର ପ୍ରତୀକ ହୋଇ ରହିଥାଏ କାଶତଣ୍ଡି। ପାର୍ବଣଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଛି ପ୍ରକୃତିରାଣୀ। ସୁଗନ୍ଧ ନଥାଏ ସିନା ରୂପ ତାର ଭାରି ମନଲୋଭା।
ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ । ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠା ରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଦୁହେଁଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ ହେଉଥିଲା ଏହି ପ୍ରେମ । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଯେତେବେଳେ ଏହି ଖବର ରାଜାଙ୍କ ପାଖରେ ପହଁଚିଲା କାଶତଣ୍ଡି ପରି ଗରିବ ଓ ଛୋଟ ଜାତିର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ଅରାଜି ହେଲେ ରାଜା । ରାଜାଙ୍କ ଆଦେଶରେ ରାଜାଙ୍କ ସୈନ୍ୟ ସାମନ୍ତମାନେ ରାଜକୁମାର ଓ କାଶତଣ୍ଡୀଙ୍କୁ ଅଲଗା କରିବା ପାଇଁ ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ l ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା କାଶତଣ୍ଡୀ “ହେ ରାଜନ ଆମର ଏଇ ଶାଶ୍ଵତ ପ୍ରେମକୁ ଉଦ୍ଜୀବିତ ରଖିବା ପାଇଁ ତୁମକୁ ବଞ୍ଚି ବାକୁ ପଡ଼ିବ । ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତାଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବା” । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହେଇ ରହିଗଲେ।
ତେବେ କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଲାଗେ ସତେ ଯେମିତି ପ୍ରେମିକା ଟିଏ ଧଳା ଓଢ଼ଣି ପକାଇ ଧାଇଁ ଯାଉଛି ତାର ପ୍ରେମିକ ପାଖକୁ । କବି ଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତାର ଲେଖନୀ ମାଧ୍ୟମରେ କାସତଣ୍ଡି ର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି।