କର୍ଣ୍ଣାଟକ: କର୍ଣ୍ଣାଟକ ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାକୁ ଯୋଜନା କରୁଛି। ଛୋଟ ପିଲାମାନଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ବଢ଼ୁଥିବା, ଅନଲାଇନ ସୁରକ୍ଷା ଜୋଖିମ ଏବଂ ଫୋନରେ ଅଧିକ ସମୟ ବ୍ୟତୀତ କରିବା ନେଇ ରାଜ୍ୟ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ଶୁକ୍ରବାର ୨୦୨୬–୨୭ ରାଜ୍ୟ ବଜେଟ୍ ଉପସ୍ଥାପନ ସମୟରେ ଏହି ଘୋଷଣା କରିଥିଲେ। ସରକାରଙ୍କ କହିବା ଅନୁସାରେ, ପିଲାମାନଙ୍କ ମନୋସ୍ୱାସ୍ଥ୍ୟ ଓ ଡିଜିଟାଲ ସୁରକ୍ଷା ରକ୍ଷା ପାଇଁ ଏପରି ପଦକ୍ଷେପ ଆବଶ୍ୟକ।
ଯଦି ଏହି ନିୟମ ଲାଗୁ ହୁଏ, ତେବେ କର୍ଣ୍ଣାଟକ ଏପରି ପଦକ୍ଷେପ ନେଇଥିବା ଭାରତର ପ୍ରଥମ ରାଜ୍ୟ ହେବ। ଏହାପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଗୋଆ ସରକାର ମଧ୍ୟ ଛୋଟ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ବିଷୟରେ ଚିନ୍ତା କରିଥିଲେ। ରାଜ୍ୟ ଆଇଟି ଓ ବାୟୋଟେକ୍ନୋଲୋଜି ମନ୍ତ୍ରୀ ପ୍ରିୟଙ୍ଗା ଖଡଗେ ପୂର୍ବରୁ ମଧ୍ୟ ଏହି ବିଷୟରେ ସଙ୍କେତ ଦେଇଥିଲେ। ସରକାର ଦୀର୍ଘଦିନ ଧରି ଏହି ପ୍ରସଙ୍ଗରେ ଚର୍ଚ୍ଚା କରୁଥିଲେ ବୋଲି ସୂଚନା ମିଳିଛି।