(ରିପୋର୍ଟସଟୁଡେ): ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ କରିଛନ୍ତି କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା । କଳିଙ୍ଗ ଷ୍ଟାଡିୟମ କରି ବିଜୁ ଯୁବବାହିନୀର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ଏଥିସହିତ ଆସନ୍ତା ଫେୃବୟାରୀ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ ଲାଗି ସମସ୍ତ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ବେହେରା ଆଜି କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ଯୁବବାହିନୀ କାର୍ଯ୍ୟାଳୟ ପରିଦର୍ଶନରେ ଯିବା ସହିତ ରାଜ୍ୟ ଯୁବ କଲ୍ୟାଣ ପରିଷଦ,ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଏବଂ ବିଜୁ ଯୁବବାହିନୀ ସିଇଓ ଶ୍ରୀ ମନୋଜ କୁମାର ପାଢୀଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିଶଦ ଆଲୋଚନା କରିଥିଲେ ।
ଏହାପରେ ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମସ୍ଥିତ ସୁଇମିଂପୁଲ ପରିଦର୍ଶନରେ ଯିବା ସହିତ କଳିଙ୍ଗ ଷ୍ଟାଡିୟମର ପ୍ରଶାସକ ତଥା ଉପ ଶାସନ ସଚିବ ମଧୁସୂଦନ ବେହେରାଙ୍କ ସହ ଖେଲୋ ଇଣ୍ଡିଆ ଲାଗି ବିଭିନ୍ନ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ । ଆଥଲେଟିକ୍ ଗ୍ରାଉଣ୍ଡ,ସୁଇମିଂପୁଲ ଏବଂ ଅନ୍ୟାନ୍ୟ ସମସ୍ତ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଆଉଥରେ ଭଲ ଭାବେ ଏସବୁକୁ ଯାଞ୍ଚ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ରାଜ୍ୟରୁ ଆସୁଥିବା ଖେଳାଳୀମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେ ବିଷୟରେ ସଜାଗ ରହିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।