(ସୂର୍ୟ୍ୟକାନ୍ତ ବେହେରା/ ମାଲକାନଗିରି): ମାଲକାନଗିରି କାଲିମେଳା ବ୍ଲକ ସଦର ମହକୁମାର ପୂର୍ବତନ ସରପଞ୍ଚ ତଥା ବୁଦ୍ଧିଜୀବୀ, ସମାଜସେବୀଙ୍କ ନିଜ ବାସଭବନରେ ରବିବାର ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ନାମ ଇ.ଶଙ୍କର ନାରାୟଣ ମୁର୍ତ୍ତୀ । ସୁଚନା ଯେ, ସେ ପ୍ରାୟ ୧୦ ଦିନ ତଳେ କରୋନା ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇ ନିଜ ଘରେ ଆଇସୋଲେସନରେ ରହିଥିଲେ । ସେ ଶ୍ବାସ ସମେତ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ତେବେ ମୃତ୍ୟୁ ସମୟରେ ତାଙ୍କ ନିକଟରେ କରୋନା ଭୁତାଣୁ ରହିଥିଲା କି ନାହିଁ ତାହା ସଠିକ ଭାବେ ଜଣାପଡି ନଥିଲେ ମଧ୍ୟ କାଲିମେଳା ବ୍ଲକ ପ୍ରଶାସନ ପକ୍ଷରୁ କୋଭିଡ-୧୯ ନିୟମ ଅନୁଯାୟୀ ଶ୍ରୀ ମୁର୍ତ୍ତିଙ୍କର ଶବ ଦାହ କରାଯାଇଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତା ଅବିଦ ହୁସେନ ଖାନଙ୍କ ତତ୍ତ୍ଵାବଧାନରେ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ଦ୍ଵାରା ଆମ୍ବୁଲାନ୍ସ ଯୋଗେ ଶବ ନିଆଯାଇ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଏକ ସ୍ଵତନ୍ତ୍ର ସ୍ଥାନରେ ଶବ ସତ୍କାର କରାଯାଇଛି । ବିଡିଓ ଉମାଶଙ୍କର ଦଳାଇ ଏବଂ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ ନେତୃତ୍ବରେ ସମସ୍ତ କାର୍ୟ୍ୟ ସମାପନ କରାଯାଇଛି । ଥାନା ଅଧିକାରୀ ସୁରଜ କୁମାର ଝାକାରଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ । ସୂଚନା ଥାଉକି ଶ୍ରୀ ମୁର୍ତ୍ତି ପୁର୍ବରୁ ସରପଞ୍ଚ ସହିତ କାଲିମେଳା ଲ୍ୟାମ୍ପ ସଭାପତି ଭାବେ କାର୍ୟ୍ୟ ତୁଲାଇଛନ୍ତି । ସେ କାଲିମେଳା ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି ଥିବା ସହ ସମାଜସେବୀ ଭାବରେ ମଧ୍ୟ ବେଶ୍ ପରିଚିତ ।