ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଆଦିତ୍ୟ କୁମାର

କଟକ : ଓଡିଶା ହାଇକୋର୍ଟର ନୂଆ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର । ଆଜି ସେ ବିଚାରପତି ଭାବେ ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ବାର ଆସୋସିଏସନ କର୍ମକର୍ତ୍ତା, ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରିହିଥିଲେ ।

କଟକ ସୁତାହାଟର ବାସିନ୍ଦା ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ରାଜ୍ୟର ସର୍ବବୃହତ ପବ୍ଲିକେସନ ହାଉସ ଗ୍ରନ୍ଥ ମନ୍ଦିର ପ୍ରକାଶକଙ୍କ ପରିବାର ସଦସ୍ୟ। ଜଷ୍ଟିସ ମହାପାତ୍ରଙ୍କ ଜେଜେ ବାପା ଶ୍ରୀଧର ମହାପାତ୍ର ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଥିଲେ। ବାପା ସ୍ୱର୍ଗତ ଅଭିରାମ ମହାପାତ୍ର ଦୀର୍ଘ ଦିନ ଧରି ଗ୍ରନ୍ଥ ମନ୍ଦିରର ପବ୍ଲିକେସନ ବୁଝା ବୁଝି କରୁଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ୧୯୮୪ ମସିହାରେ ରେଭେନ୍ସା କଲଜିଏଟ ସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ।
ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। ସେହିବର୍ଷ ଠାରୁ ଓଡିଶା ହାଇକୋର୍ଟରେ ସେତେବେଳେର ଜଣାଶୁଣା ଓକିଲ ଜଷ୍ଟିସ ପି କେ ମିଶ୍ରଙ୍କ ଜୁନିୟର ଭାବେ ଓକିଲାତି ଆରମ୍ଭ କରିଥିଲେ। ଓଡିଶା ମାନବିକ ଅଧିକାର ଆୟୋଗ, ବିପିୟୁଟି ଓ ଭାରତୀୟ ନିର୍ବାଚନ କମିଶନଙ୍କର ଓକିଲ ଭାବେ ସେ ଓଡିଶା ହାଇକୋର୍ଟରେ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ।

ସେ ହାଇକୋର୍ଟରେ ସମସ୍ତ ପ୍ରକାର ମାମଲାର ପରିଚାଳନାରେ ସିଦ୍ଧହସ୍ତ ଥିଲେ। ଦୀର୍ଘ ୨୬ ବର୍ଷ ଧରି ହାଇକୋର୍ଟରେ ବହୁ ମାମଲା ସଫଳତାର ସହ ସେ ପରିଚାଳନା କରି ଆସୁଥିଲେ। ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ ଜଜ ଭାବେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଶପଥ ଗ୍ରହଣ କରିବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ ରେ ପହଂଚିଛି।