ନୂଆପଡ଼ା-: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ନୂଆପଡ଼ା, ଭୁବନେଶ୍ୱର ଓ ପୁରୀ ଜିଲ୍ଲା ପିପିଲିର ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଗଙ୍ଗୋତ୍ରିନଗରରେ ଥିବା ୩ ମହଲା ଘର, ବ୍ରହ୍ମେଶ୍ବରପାଟଣା ବ୍ରିଟ କୋଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, ଗ୍ୟାରେଜ ଛକ ଓ କେଦାର ଲେନରେ ଥିବା ଘରେ ମଧ୍ୟ ଚାଲିଛି ରେଡ୍ । ପୁରୀରେ ରହିଛି ଫାର୍ମ ହାଉସ୍ ଏବଂ ନୂଆପଡ଼ାରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଅଫିସରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।
ଏହି ଚଢ଼ାଉ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚଢ଼ାଉ ସୁଶାନ୍ତ କୁମାର ସେଠୀଙ୍କ ଆବଶ୍ୟକ ଆୟ ଅପେକ୍ଷା ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଉପରେ ହୋଇଛି । ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ତିନି ମହଲା ବିଶିଷ୍ଟ ବିଲଡିଂ, ନିର୍ମାଣାଧୀନ ଘର, ଫାର୍ମହାଉସ ଏବଂ ପରିବାର ଓ ସମ୍ପର୍କୀୟଙ୍କ ନାମରେ ଥିବା ସମ୍ପତ୍ତି ଅନ୍ତର୍ଭୁକ୍ତ ।