ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜେଏମଏମର ପ୍ରତିଷ୍ଠାତା

ନୂଆଦିଲ୍ଲୀ:- ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶିବୁ ସୋରେନ । ‘ଦିଶୋମ୍ ଗୁରୁ’ ନାମରେ ଜଣାଶୁଣା ଶିବୁ ସୋରେନ ଏକ ମାସରୁ ଅଧିକ ସମୟ ଧରି ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ବାପାଙ୍କ ଦେହାନ୍ତ ନେଇ ସୂଚନା ଦେଲେ ପୁଅ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ଶିବୁ ସୋରେନ ରାମଗଡ଼ ଜିଲ୍ଲାର ନେମରା ଗାଁରେ ଜନ୍ମଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ସେ ମନମୋହନ ସରକାରରେ କୋଇଲା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୧୯୭୦ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ଶିବୁ ସୋରେନ ୪ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ । ସେ ଝାଡଖଣ୍ଡର ୩ ଥର ମୁଖ୍ୟମନ୍ତ୍ରୀ, ୮ ଥର ଲୋକସଭା ସାଂସଦ ଓ ୩ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୟୁପିଏ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ।