ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ସଜେଇ ହୋଇଛି ଝୁଲଣ କୁଞ୍ଜ

ପୁରୀ: ଆଜିଠୁ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ଭିଭିନ୍ନ ମଠ ବାଡ଼ି ମାନଙ୍କରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ସମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯିବା ସହ କୁଞ୍ଜରେ ମଦନ ମୋହନ ଭୂଦେବୀ ଶ୍ରୀଦେବୀ ବିଜେ କରିବାର ପରମ୍ପରା ରହିଛି ।

ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ । ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହେବ ମଠ, ମନ୍ଦିର। ତେବେ ମଠ, ମନ୍ଦିର ସଂସ୍କୃତିକୁ ନେଇ ସମୃଦ୍ଧ ଶ୍ରୀକ୍ଷେତ୍ର ଝୁଲଣ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି। ବିଭିନ୍ନ ଦେବାଳୟରେ ପ୍ରସ୍ତୁତ ହୋଇଯାଇଛି ଝୁଲଣ କୁଞ୍ଜ। କୁଞ୍ଜ ପରିସରକୁ ଜରି ଜମ୍ବୁରାରେ ଆକର୍ଷଣୀୟ ଭାବେ ସଜେଇ ଦିଆଯାଇଛି । ଏଥିସହ ବିଭିନ୍ନ ପ୍ରକାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି କୁଞ୍ଜ ପରିସର। ଏହି ସୁସଜ୍ଜିତ କୁଞ୍ଜରେ ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣ ଦୋଳିରେ ଝୁଲିବେ ।

ଶ୍ରୀକ୍ଷେତ୍ରରେ ରହିଛି ଅନେକ ପୁରାତନ ମଠ। ପ୍ରାୟ ଅଧିକାଂଶ ମଠରେ ପୂଜା ପାଉଛନ୍ତି ରାଧାକୃଷ୍ଣ। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଛନ୍ତି । ବିଶେଷକରି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ, ନେବଳ ଦାସ ମଠ, ହରିଦାସ ମଠ, ଉତ୍ତରପାର୍ଶ୍ୱ ମଠ, ଜିୟର ସ୍ବାମୀ, ରାଧାବଲ୍ଲଭ ମଠ, ବଡ଼ ଓଡ଼ିଆ ପ୍ରଭୃତି ମଠରେ ବେଶ୍‌ ଆଡମ୍ବରରେ ଅନୁଷ୍ଠିତ ହେବ ଝୁଲଣ ଯାତ୍ରା । ଏହି ଉପଲକ୍ଷେ ବିଭିନ୍ନ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ବିଭିନ୍ନ ଦିବସରେ ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ଲକ୍ଷ୍ମୀନୃସିଂହ ଏବଂ ରାମ ଲକ୍ଷ୍ମଣ ସୀତା କୁଞ୍ଜରେ ଦୋଳି ଖେଳିବେ। ପ୍ରତ୍ୟହ ନିତ୍ୟ ଆଳତୀ ପରେ ପ୍ରଭୁଙ୍କ ପାଇଁ ଝୁଲଣ ଆଳତୀ କରାଯିବ। ଏଥିସହ ସ୍ବତନ୍ତ୍ର ଭୋଗ ମଧ୍ୟ ଲାଗି କରାଯିବ। ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ପାଲା, ଦାସକାଠିଆ ଓ ପାରମ୍ପରିକ ଭଜନ ପରିବେଷଣ କରାଯିବ। ଏହାବ୍ୟତୀତ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।