ଦୀପାଳି ଦାସ ଦେଲେ ଭୋଟ

ଦୀପାଳି ଦାସ ଭୋଟ ଦେଇ ସାରିବା ପରେ କହିଛନ୍ତି, ଝାରସୁଗୁଡାବାସୀ ସଠିକ୍ ପ୍ରାର୍ଥୀ ବାଛିବେ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ଚାଲିଛି ଭେଟ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭେଟ ଗ୍ରହଣ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଝାରସୁଗୁଡାବାସୀ ନିଜର ନେତା ବାଛିବାକୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଆସୁଛନ୍ତି। ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପିଙ୍କ ବୁଥ ମାନଙ୍କରେ ତରଭୁଜ ଓ ସରବତ ଦିଆଯାଇଛି ।


ତେବେ ଏହାରି ମଧ୍ୟରେ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ୩୩ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମତଦାନ କରିଥିବା ଜଣାଯାଇଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭାଇ ବିଶାଳ ଦାସ ଓ ମା ମୀନତି ଦାସଙ୍କ ସହ ଆସି ଭୋଟ୍ ଦେଇଛନ୍ତି।

ଏହା ପୂର୍ବରୁ ସେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମତଦାନ କରିବା ପରେ ସେ ଝାରସୁଗୁଡ଼ାର ଜନସାଧାରଣଙ୍କୁ ସେମାନଙ୍କର ଭୋଟ ଦାନ ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି।

ଭୋଟ ଦେଇ ସାରିବା ପରେ ଦୀପାଳି କହିଛନ୍ତି, ଝାରସୁଗୁଡାବାସୀ ସଠିକ୍ ପ୍ରାର୍ଥୀ ବାଛିବେ । ନୂତନ ଝାରସୁଗୁଡା ନିର୍ମାଣ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । । ବହୁତ ନୂଆ ଭୋଟରଙ୍କୁ ଭେଟିଛି, ସମସ୍ତେ ଗଣତନ୍ତ୍ରର ପର୍ବରେ ସାମିଲ ହେବାକୁ ଉତ୍ସାହିତ ଅଛନ୍ତି । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ମୋ ବାପାଙ୍କୁ ଯେଉଁମାନେ ଭଲ ପାଉଥିଲେ ସେମାନଙ୍କ ପାଇଁ ଏହା ଏକ ଦୁଃଖଦ ସମୟ । ସମସ୍ତ ଝାରସୁଗୁଡାବାସୀଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ୍ କରିଛନ୍ତି ଦୀପାଳି ।