ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ସୋମବାର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରାଇରଙ୍ଗପୁର ଗସ୍ତରେ ଆସି ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରିଥିଲେ | ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓ ରାଇରଙ୍ଗପୁରର ବିଧାୟକ ଜଲେନ ନାଏକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଯୁକ୍ତ ତିନି (ଦ୍ଵିତୀୟ ବର୍ଷ )ରେ ଅଧ୍ୟୟନରତା ରାଇରଙ୍ଗପୁର ବ୍ଲକ ଅଧିନସ୍ତ ହାତିଆ ଗ୍ରାମର ସନ୍ଧ୍ୟା ସୁତିନ ହାଁସଦା ନାମ୍ନୀ ଜୈନିକା ଦୃଷ୍ଟିବାଧିତା ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ପ୍ରଦାନ କରିଥିଲେ ଏବଂ ଜାମଦା ବ୍ଲକର ଜୈନେକ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ବ୍ୟକ୍ତି, ପ୍ରଦୀପ ଚନ୍ଦ୍ର ମହାନ୍ତ ଯିଏକି ରୁକ୍ମିଣୀ ମହାକୁଡ଼ ନାମ୍ନୀ ଜଣେ ସୁସ୍ଥ ମହିଳାଙ୍କୁ ବିବାହ କରିଥିବାରୁ ଉକ୍ତ ବିବାହିତ ଦମ୍ପତିଙ୍କୁ ଟ.୨, ୫୦, ୦୦୦/-ଙ୍କା ର ବିବାହ ପ୍ରୋତ୍ସାହନ ରାଶି ବ୍ୟାଙ୍କ ଚେକ ଜରିଆରେ ପ୍ରଦାନ କରିଥିଲେ |

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ରାଇରଙ୍ଗପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ କୁମାର ସୋରେନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।