ରାଜସ୍ଥାନ: ସବାଇ ମାନସିଂ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଟ୍ରମା କେୟାର୍ ସେଣ୍ଟର ଆଇସିୟୁରେ ପ୍ରଥମେ ଲାଗିଥିଲା ନିଆଁ । ନ୍ୟୁରୋ ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ । ୨ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ, ୫ ଗୁରୁତର ସୂଚନା । ମଧ୍ୟରାତ୍ରରେ ICU ଷ୍ଟୋର ରୁମ୍ରୁ ସର୍ଟ ସର୍କିଟ ଘଟି ନିଆଁ ବ୍ୟାପିଥିଲା । ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ।

ସୂଚନା ଅନୁସାରେ, ରାଜସ୍ଥାନ ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲର ଟ୍ରମା ସେଣ୍ଟରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା , ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ରୋଗୀମାନଙ୍କୁ ବାହାର କରିବାକୁ ଲାଗିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ୨ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା । ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଘଟଣା ପରେ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ମଧ୍ୟ ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।