(ରିପୋର୍ଟସ ଡୁଡ଼େ): ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୧୨ଟି ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ଆଦେଶଗୁଡିକୁ ପାଳନ କରୁଥିବା ଯୁକ୍ତି ବାଢ଼ି ଆସୁଛି। କିନ୍ତୁ ବାସ୍ତବ ସ୍ଥିତି ପରଖିଲେ ଆଜି ପର୍ୟ୍ୟନ୍ତ ୧୨ଟି ଆଦେଶରୁ କୌଣସି ଗୋଟିଏ ବି କାର୍ୟ୍ୟକାରୀ ହୋଇନାହିଁ। ସବୁଠୁ ବଡ କଥା ହେଉଛି, ଆଜି ପର୍ୟ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦାନଦକ୍ଷିଣା ଆଦାୟ ବନ୍ଦ କରିପାରିନି। ଏବେ ମଧ୍ୟ ଶ୍ରୀମନ୍ଦିର ଭିତରକାଠ, ନାଟମଣ୍ଡପ, ବେଢ଼ାରେ ଭକ୍ତଙ୍କଠାରୁ ଖୋଲାଖୋଲି ଦାନଦକ୍ଷିଣା ଆଦାୟ ହେଉଛି। ଟଙ୍କା ଦେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗଳିଆବାଟ ମିଳିଯାଉଛି। ପ୍ରତିଦିନ ଠେଲାପେଲା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।
ଗତ ଜୁନ୍ ୭ରେ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଯେଉଁଥିରେ ସେ ଶ୍ରୀମନ୍ଦିରରେ ଦାନଦକ୍ଷିଣା ନାଁରେ ସେବାୟତଙ୍କ ଜୁଲମ ଚାଲିଥିବା ଦର୍ଶାଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ।
ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଜିଲ୍ଲା ଜଜଙ୍କ ରିପୋର୍ଟ ଆଧାରରେ ୧୨ଟି ପ୍ରସ୍ତାବକୁ କାର୍ୟ୍ୟକାରୀ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ଆଦେଶ ଦେଇଥିଲେ। ତେବେ ଏହି ୧୨ଟି ଆଦେଶ ମଧ୍ୟରୁ ୩ଟିକୁ ବାଦ୍ ଦେଲେ ଶ୍ରୀମନ୍ଦିର ପ୍ରଶାସନ ବାକି ଆଦେଶକୁ କାର୍ୟ୍ୟକାରୀ କରି ସାରିଥିବା ଯୁକ୍ତି ବାଢ଼ୁଛି। କିନ୍ତୁ ତୃଣମୂଳସ୍ତରରୁ ଦେଖିଲେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କଥା ଯେ ଡାହା ମିଛ ତାହା ଜଳଜଳ ହୋଇ ଦିଶୁଛି। ସୁପ୍ରିମକୋର୍ଟ ଦାନଦକ୍ଷିଣା ବନ୍ଦକୁ ବିଶେଷ ଗୁରୁତ୍ବ ଦେଇଥିବା ବେଳେ ଆଜି ପର୍ୟ୍ୟନ୍ତ ଏଥିରେ ରୋକ୍ ଲାଗିପାରିନି। ଏବେ ବି ପୁଲିସ ଓ ଜେଟିପିଙ୍କ ସମ୍ମୁଖରେ ଖୋଲାଖୋଲି ଜୋର ଜବରଦସ୍ତ ଦାନଦକ୍ଷିଣା ଆଦାୟ ଚାଲିଛି।