ପୁରୀ:ଶେଷ ପର୍ଯ୍ୟୟରେ ପରିକ୍ରମା ପ୍ରକଳ୍ପ କାମ । ଆସନ୍ତା କାଲି ସୁଦ୍ଧା ଯାତ୍ରା ପରିକ୍ରମା କାମ ସାରି ହସ୍ତାନ୍ତର କରିବ ଓବିସିସି । ତେବେ ଏହାରି ଭିତରେ ଆସନ୍ତା ୧୬ ତାରିଖରୁ ପୁରୀରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ ସେବା । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ ଆଣିବାକୁ ୬୦ଟି ବସ ନିୟୋଜିତ କରାଯିବ । ଯାହା ଦ୍ବାରା ଭକ୍ତର କାଳିଆ ଦର୍ଶନ ଇଚ୍ଛା ହେଲେ ସେ ସୁବିଧାରେ ପୁରୀରେ ପହଞ୍ଚି ପାରିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ । ଏହି ପ୍ରକଳ୍ପ ସଂପୂଣ୍ଣ ହେବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏକ ସୁନ୍ଦର ଅନୁଭୂତି ଓ ଆତ୍ମସନ୍ତୋଷ ଲାଭ କରିବେ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ସହିତ ଯଜ୍ଞସ୍ଥଳୀ ଆଦିର ସମୀକ୍ଷା କରାଯାଇଥିଲା। ଏଥି ସହ ସେବାୟତଙ୍କ କଲ୍ୟାଣ ପାଇଁ ଛାତ୍ରବୃତ୍ତି, ବର୍ଷକୁ ଦୁଇ ଥର କାଉନ୍ସେଲର ନିଯୁକ୍ତି, ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।