ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି : ଏଣିକି ପ୍ରବଳ ବରଷିବ

ଭୁବନେଶ୍ୱର : ସୁଦୃଶ୍ୟ ଲଘୁଚାପ ବଙ୍ଗୋପସାଗରରେ ନେଲା ଅବପାତ ରୂପ। ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଲଘୁଚାପ ଉପକୂଳ ଅତିକ୍ରମ କରିବ। ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ବର୍ତ୍ତମାନ ଗୋପାଳପୁର ଠାରୁ ୧୮୦ କିମି ଓ କଳିଙ୍ଗପଟ୍ଟନମ ଠାରୁ ୮୦ କିମି ଦୂରରେ ରହିଛି ଅବପାତ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରିଖ ପର୍ଯ୍ୟନ୍ତ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ଏତଦବ୍ୟତୀତ ଚଳିତ ବର୍ଷ ରାଜ୍ୟରେ ଜୁନ ୧ରୁ ଏଯାବତ ୮୨୪. ୯ ମିମି ବର୍ଷା ରେକର୍ଡ ହୋଇଛି। ଏବେ ମଧ୍ୟ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ଷା ସ୍ୱାଭାବିକ ୯୦୬. ୫ ମିମି ରହିବା ଉଚିତ । ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।