ଉମରକୋଟ/ମନୋଜ କୁମାର ନାୟକ : ଛାତ୍ରୀ ନିବାସରେ ଆତ୍ମହତ୍ୟା କଲେ ଛାତ୍ରୀ | ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ସରକାରୀ ଆଇ ଟି ଆଇ କଲେଜର ଛାତ୍ରୀ ନିବାସରେ ଗତକାଲି ରାତିରେ ରାଇଘର ବ୍ଲକ ସରଗୁଲି ନିକଟରେ ଥିବା ସାଲେଭଟା ଗ୍ରାମର ନାଗେଶ୍ୱରୀ ଗଣ୍ଡ (17)ଆର ଏ ସି ବିଭାଗର ଦ୍ଵିତୀୟ ବର୍ଷ ର ଛାତ୍ରୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି |
ସୂଚନା ଅନୁସାରେ, ନାଗେଶ୍ୱରୀ ଗଣ୍ଡ ଅନେକ ଦିନ ହେଲା ଛୁଟିରେ ନିଜ ଘରକୁ ଯାଇଥିଲେ ଏବଂ ସେ ଗତ ସୋମବାର ଦିନ ହିଁ କଲେଜକୁ ଆସିଥିଲେ | ଅନ୍ୟ ଛାତ୍ରୀମାନେ ନାଗେଶ୍ୱରୀକୁ ଡାକିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା | ପରେ ଝରକା ପଟରୁ ନାଗେଶ୍ୱରୀଙ୍କ ଝୁଲନ୍ତା ଶରୀର ଦେଖିବାକୁ ପାଇଥିଲେ | ଏହା ଦେଖି କଲେଜର ପ୍ରିନ୍ସିପାଲ ରବୀନ୍ଦ୍ର କୁମାର କର ପୋଲିସକୁ ଜଣେଇଥିଲେ | ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା, ଏସ ଆଇ ନୀଳିମା ପାଣିଗ୍ରାହୀ, ତହସିଲଦାର ତୁଳା ମୁଦୁଲି ଏବଂ ପୋଲିସ ଫୋର୍ସ ପହଞ୍ଚି କବାଟ ଭାଙ୍ଗି ଶବ ଟିକୁ ଉଦ୍ଧାର କରିଥିଲେ | ଏହା ଦେଖି ନାଗେଶ୍ୱରୀଙ୍କ ପରିବାରବର୍ଗ ଭାଙ୍ଗିପଡିଛନ୍ତି | ଛାତ୍ରୀ କିପରି ଆତ୍ମହତ୍ୟା କଲେ ଓ କାହିଁକି ତାହାର ତଦନ୍ତ ଜାରି ରଖିଛି ଉମରକୋଟ ପୋଲିସ |