(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ-୨ରେ ଆଂଶିକ ତ୍ରୁଟିରେ ଥମିଯାଇ ନାହିଁ ଭାରତୀୟ ମହାକାଶ କେନ୍ଦ୍ର (ଇସ୍ରୋ) । ଇସ୍ରୋ ଏବେ‘ଲୁନାର୍ ପୋଲାର୍ ଏକ୍ସପ୍ଲୋରେସନ୍’ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିନେଇ ‘ଇସ୍ରୋ’ ଜାପାନର ଜାପାନ ଏରୋସ୍ପେସ୍ ଏଜେନ୍ସି’ (ଜାକ୍ସା) ସହ ରାଜିନାମା କରିବ। ଚନ୍ଦ୍ରର ମେରୁ ଅଞ୍ଚଳ ଆବିଷ୍କାର ନିମନ୍ତେ ମିଳିତ ସାଟେଲାଇଟ୍ ମିସନ୍ର ବାସ୍ତବତା ଉପରେ ଇସ୍ରୋ ଏବଂ ଜାକ୍ସା ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି ବୋଲି ଇସ୍ରୋ ଏକ ବିବୃତ୍ତିରେ କହିଛି। ଇସ୍ରୋ- ଜାକ୍ସା ମିସନ୍ କେବଳ ରୋବୋଟିକ୍ ମିସନ୍ରେ ସୀମିତ ରହିବ।
ଜାକ୍ସାର ଗ୍ରହାଣୁ ଅନୁସନ୍ଧାନକାରୀ ମହାକାଶଯାନ ହାୟାବୁସା-୨ ସଫଳତାର ସହ ଗତ ଜୁଲାଇ ମାସରେ ଏକ ଗ୍ରହାଣୁରେ ଅବତରଣ କରିଥିଲା । ୨୦୧୭ରେ ବେଙ୍ଗାଲୁରୁରେ ବିଭିନ୍ନ ମହାକାଶ ଏଜେନ୍ସିଙ୍କ ବୈଠକରେ ଜାପାନ ସହ ମିଳିତ ଚନ୍ଦ୍ରାଭିଯାନ ଯିବା କଥା ସାର୍ବଜନୀନ କରାଯାଇଥିଲା। ଏହା ପରେ ୨୦୧୮ରେ ମୋଦିଙ୍କ ଜାପାନ ଗସ୍ତ ସମୟରେ ଏହି ଅଭିଯାନ ଉପରେ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା ।