ଇସ୍ରାଏଲ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର: ମେରୁଦଣ୍ଡ ସହ ଯୋଡ଼ାହେଲା କଟା ମୁଣ୍ଡ

ଜେରୁଜେଲମ: ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଏକ ବିରଳ ଏବଂ ସବୁଠାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ଶେଷ କରିଛନ୍ତି ଇସ୍ରାଏଲ ଡାକ୍ତର । ଡାକ୍ତରମାନେ ୧୨ ବର୍ଷର ଶିଶୁ ସୁଲେମାନ ହସନର ମୁଣ୍ଡକୁ ପୁଣିଥରେ ଯୋଡ଼ିବାରେ ସଫଳ ହୋଇଛନ୍ତି। ଦୁର୍ଘଟଣାରେ ମେରୁଦଣ୍ଡର ଉପରି ଭାଗ ବେକରୁ ପ୍ରାୟ ଅଲଗା ହୋଇ ଯାଇଥିବା ମୁଣ୍ଡକୁ ଯୋଡ଼ିବାରେ ଚମତ୍କାରିତା ଦେଖାଇଛନ୍ତି ଇସ୍ରାଏସଲ ଡାକ୍ତର ।

ମିଳିଥିବା ସୂଚନା ଅନୁସାରେ, ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ ଇସ୍ରାଏଲର ଡାକ୍ତରୀ ଦଳ । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ନାୟୁ ସଂଯୁକ୍ତ ହୋଇ ରହିଥିବାରୁ ଡାକ୍ତରମାନେ ମୁଣ୍ଡକୁ ଯୋଡିବାରେ ସଫଳ ହୋଇଛନ୍ତି ।

ସୁଲେମାନ ସାଇକେଲ ଚଳାଇବା ସମୟରେ କାର୍ ସହ ଧକ୍କା ହୋଇଯାଇଥିଲେ। ଏଥିଯୋଗୁଁ ଭିତରୁ ତାଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଥିଲା। ଏହି ସ୍ଥିତିକୁ ମେଡିକାଲ ସାଇନ୍ସରେ ‘ଇଣ୍ଟର୍ନାଲ ଡିକାପିଟେସନ’ କୁହାଯାଇଥାଏ। ଏହି କ୍ଷେତ୍ରରେ ମୁଣ୍ଡ ମେରୁଦଣ୍ଡର ଉପର ଭାଗଠାରୁ ଅଲଗା ହୋଇଯାଇଥାଏ। କିନ୍ତୁ ବାହାରେ ଏହା ଯୋଡ଼ି ରହିଥିବା ପରି ଦେଖାଯାଏ। ଏହି ରୋଗରେ ପୀଡ଼ିତ ୭୦ ପ୍ରତିଶତ ରୋଗୀ ଦୁର୍ଘଟଣା ସମୟରେ କିମ୍ବା ଡାକ୍ତରଖାନାରେ ପ୍ରାଣ ହରାଇଥାନ୍ତି। ଡାକ୍ତରମାନେ କହିଛନ୍ତି ଯେ ଜୁନରେ ଏହି ଘଟଣା ଘଟିଥିଲା। ଜୁଲାଇ ପର୍ୟ୍ୟନ୍ତ ଏହାର ସୂଚନା ଦିଆଯାଇ ନ ଥିଲା। ସୁଲେମାନ ଆରୋଗ୍ୟ ହେବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ସେ ଜୀବିତ ରହିବାର ସମ୍ଭାବନା ବହୁତ କମ୍ ଥିଲା। ଅନେକ ଘଣ୍ଟା ପର୍ୟ୍ୟନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ଏହି ସମୟରେ ମୁଣ୍ଡକୁ ମେରୁଦଣ୍ଡ ସହ ଯୋଡିବା ପାଇଁ ରଡ, ସ୍କୃ ଏବଂ ବୋନ୍ ଗ୍ରାଫ୍ଟ ବ୍ୟବହାର କରାଯାଇଥିଲା।