ଉଗାଣ୍ଡାରେ ସ୍କୁଲ ପିଲାଙ୍କ ଉପରେ ଆଇଏସଆଇଏସର ଗୁଳିଚାଳନା

ପୁଣି ଆଇଏସଆଇଏସର ଉନ୍ମକ୍ତ କାଣ୍ଡ । ସ୍କୁଲ ପିଲାଙ୍କ ଉପରେ ଗୁଳିଚାଳନା କରିଛି ଏହି ଆତଙ୍କବାଦୀ ସଂଗଠନ । ଆଫ୍ରିକୀୟ ଦେଶ ଉଗାଣ୍ଡାର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲରେ ଆଇଏସଆଇଏସ୍ ସହ ଜଡିତ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିଛି । ଫଳରେ ସ୍କୁଲରେ ଅତିକମରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ରହିଛନ୍ତି । ଘଟଣାଟି ଗତକାଲି ରାତିରେ ହୋଇଛି । କଙ୍ଗୋ ବର୍ଡର ଠାରୁ କିଛିଦୂରରେ ଏହି ଘଟଣା ଘଟିଛି । ସ୍କୁଲ ନିକଟରେ ଆକ୍ରମଣ ହୋଇଥିବା ବେଳେ ଛାତ୍ରବାସକୁ ନିଆଁ ଲଗାଇ ଦେଇଥିଲେ ଆକ୍ରମଣକାରୀ ।

ପୋଲିସ କହିବା ମୁତାବକ, ମୋପଣ୍ଡୱେରେ ଥିବା ଲୁବିରିରା ସେକେଣ୍ଡାରୀ ସ୍କୁଲର ୨୫ଜଣ ପିଲାଙ୍କ ପ୍ରାଣ ଚାଲିଯାଇଛି । ତେବେ ଏମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୱେରା ହସପିଟାଲକୁ ପଠାଯାଇଛି । ଘଟଣାରେ ଅନ୍ୟ ୮ ଜଣ ଆହତ ରହିଛନ୍ତି । ଏହାସହିତ ପିଲାଙ୍କ ପାଇଁ ରଖାଯାଇଥିବା ଖାଦ୍ୟସାମଗ୍ରୀ ଷ୍ଟୋରରେ ମଧ୍ୟ ଲୁଟ୍ କରାଯାଇଛି ।