ଇରାନ୍ ନିର୍ମାଣ କଲା ହାଇପରସୋନିକ୍ ମିସାଇଲ; ଶବ୍ଦ ଠାରୁ ୧୫ ଗୁଣା ଅଧିକ ସ୍ପିଡରେ ଯିବ

0

ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ମାରାତ୍ମକ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ କରିବାକୁ ସକ୍ଷମ। ଇରାନ ଏଭଳି ଏକ ସମୟରେ ଘୋଷଣା କରିଛି ଯେତେବେଳେ ଆମେରିକା ସହ ତାହାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଇରାନର ପରମାଣୁ କାର୍ୟ୍ୟକ୍ରମକୁ ନେଇ ଆମେରିକା ଇରାନ ଉପରେ କଟକଣା ଜାରି କରିଛି । ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସି ନୂଆ ମିସାଇଲର ହାଇପରସୋନିକ କ୍ଷମତାକୁ ପ୍ରଶଂସା କରିଛନ୍ତି। ଏଥିସହ ଏହା ଇରାନର ଶକ୍ତିକୁ ଅଧିକ ବୃଦ୍ଧି କରିବ ଓ ପୂରା ଦେଶରେ ଶାନ୍ତି ଏବଂ ସ୍ଥିରତା ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଇରାନର ସରକାରୀ ଟେଲିଭିଜନ୍ ଏକ ରିପୋର୍ଟରେ କହିଛି ଯେ ‘ଫତାହ’ ନାମକ ଏହି କ୍ଷେପଣାସ୍ତ୍ର ୧୪୦୦ କିଲୋମିଟର ପର୍ୟ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିଛି । ତେବେ ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣ ନେଇ କୌଣସି ପ୍ରାମାଣ ପ୍ରଦାନ କରିନି ଇରାନ ।

ମିଳିଥିବା ସୂଚନା ଅନୁସାରେ, ଫତାହ ମିସାଇଲର ଲକ୍ଷ୍ୟ ଭେଦ କରିବାର କ୍ଷମତା ୧୪ଶହ କିମି। ଶବ୍ଦ ଠାରୁ ଏହା ୧୩ରୁ ୧୫ ଗୁଣା ସ୍ପିଡରେ ଗତି କରି ଶତ୍ରୁ ପକ୍ଷର ଟାର୍ଗେଟକୁ ଧ୍ୱଂସ କରିବାକୁ ସକ୍ଷମ। ଧିମା ବାଲାଷ୍ଟିକ ମିସାଇଲ ଭଳି ହାଇପରସୋନି ମିସାଇଲରେ ମଧ୍ୟ ପରାମାଣୁ ଯୁଦ୍ଧାସ୍ତ୍ର ବହନ କରାଯାଇ ପାରିବ। ଇରାନ ପାଖରେ ବିପୁଳ ପରିମାଣରେ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ମହଜୁଦ ରହିଛି। ଗତ ନଭେମ୍ବରମାସରେ ରିଭୋଲ୍ୟୁସନରୀ ଗାର୍ଡ ଜେନେରାଲ ଅମୀର ଅଲ୍ଲୀ ହାଜିଜାଦେ ଦାବି କରିଥିଲେ ଯେ ଇରାନ ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର ବିକଶିତ କରିଛି ।

ସୂଚନାଯୋଗ୍ୟ ଯେ ହାଇପରସୋନିକ୍ କ୍ଷେପଣାସ୍ତ୍ର ଟେକନୋଲୋଜୀ ବିଶ୍ବର ଅଳ୍ପ କିଛି ଦେଶଙ୍କ ପାଖରେ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ରୁଷ, ଆମେରିକା ଓ ଚୀନ । ଭାରତ ମଧ୍ୟ ଏହି ଟେକନଲୋଜୀ ଉପରେ କାମ କରୁଛି । ନୂଆ ମିସାଇଲରେ ଏତେ ସବୁ କ୍ଷମତା ଥିବାରୁ ଇରାନ ନିଜକୁ ଆହୁରି ଶକ୍ତିଶାଳୀ କରିବାକୁ ସକ୍ଷମ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।