ଖେଳ ମଝିରେ ଅନ୍ତର୍ଜାତୀୟ କବାଡ଼ି ଖେଳାଳି ସନ୍ଦୀପଙ୍କୁ ଗୁଳିକରି ହତ୍ୟା

ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି।

(ପଞ୍ଜାବ) : ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଜଲନ୍ଧରର ମାଲିଆନ ଗାଁରେ ଗୋଟିଏ କବାଡି ମ୍ୟାଚ୍‌ ଚାଲିଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସନ୍ଦୀପଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ସୂଚନାନୁଯାୟୀ , ସନ୍ଦୀପଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ୍ୟ କରି ପ୍ରାୟ ୨୦ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ୨୦ ରାଉଣ୍ଡ ଗୁଳିରୁ ତାଙ୍କ ଶରୀରରେ ପ୍ରାୟ ୮ରୁ ୧୦ଟି ବୁଲେଟ ମାଡ଼ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେବେ ପୁଲିସ୍‌ ଘଟଣା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।