କଳେ ବଳେ କୌଶଳ ଭୋଟ ଆଖେଇବାକୁ ଚେଷ୍ଟା କରୁଛନ୍ତି ୩ ରାଜନୈତିକ ଦଳ

ଉପନିର୍ବାଚନ ପାଇଁ ଧାର୍ୟ୍ୟ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଭିନ୍ନ ଭିନ୍ନ କୌଶଳ ଆପଣେଇବାର ତତ୍ପରତା ଦେଖିବାକୁ ମିଳିଛି।ଏପରିକି ସାହି ବସ୍ତିରେ ରାତିଅଧିଆ ଚାଲିଛି ପ୍ରଚାର । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ।ଆସନ୍ତୁ ଦେଖିବା ଏହି ରିପୋର୍ଟ । ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ ନଭେମ୍ବର ୩ତାରିଖରେ ହେବ । ଆଉ ମାତ୍ର ସପ୍ତାହେ ବାକି ରହିଲା । ଉପନିର୍ବାଚନ ପାଇଁ ନିର୍ବାଚନୀ ମଇଦାନରେ ନଅଜଣ ପ୍ରାର୍ଥୀ ଥିବା ବେଳେ ମୁଖ୍ୟତଃ ତିନି ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁଜନତା ଦଳ,ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢେ଼ଇ । ଯାହାକୁ ନେଇ ଏବେ ପ୍ରଚାର ମଇଦାନ ସରଗରମ । ଭୋଟରଙ୍କୁ ନିଜଆଡକୁ ଟାଣିବାକୁ ରାଜନୈତିକ ଦଳମାନେ ଭିନ୍ନଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି । ଶାସକ ବିଜୁଜନତା ଦଳ ମାଳମାଳ ନେତାଙ୍କ ସହ ଜିଲ୍ଲା ବାହାରର ଛାମୁଆଁ ସଂଗଠକ ଗାଁ ଗାଁ ରେ ଡେରା ପକାଇଛନ୍ତି । ପ୍ରତି ଗାଁ, ସାହି ଓ ବସ୍ତିରେ ଲୋକଙ୍କୁ ମନାଇବା ପାଇଁ ଚାଲିଛି ପ୍ରଚାର । ରଘୁନାଥପୁର ବ୍ଲକର କୋଟକଣା ମହାଦେବଙ୍କ ପିଠରେ ସ୍ଥାନୀୟ ଲୋକଙ୍କୁ ବିଜେଡି ଛାମୁଆଁନେତା ଦଳ ସପକ୍ଷରେମନାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସିନେ ତାରକାରୁ ରାଜନେତା ପାଲଟିଥିବା ବିଜେଡି ନେତା ମୁନା ଖାଁ ଛପଡା ଓ ତିର୍ତ୍ତୋଲ ବ୍ଲକର ମୁଳିସିଂ ପଞ୍ଚାୟତରେ ସଂଖ୍ୟାଲଘୁ ଭୋଟରଙ୍କୁ ମନାଇବାକୁ ବୈଠକରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ସେହିପରି ଶାସକ ବିଜୁଜନତା ଦଳ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ହାତେଇବାକୁ ତିର୍ତ୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର ପଞ୍ଚାୟତର ଇଟାଟିକିରି ସମେତ ବିଭିନ୍ନ ସାହି ବସ୍ତିରେ ରାତିଅଧିଆ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଗଡ ରକ୍ଷା କରିବା ପାଇଁ ଜୋରସୋରରେ ଉଦ୍ୟମ ଚାଲିଥିବା ବେଳେ ବିଜେଡିର ବିଜୟ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେଡିକୁ ଟକ୍କର ଦେଇ ବିଜେପି ମଧ୍ୟ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତିର୍ତ୍ତୋଲ ଅଞ୍ଚଳରେ ଥିବା ଆଦିବାସୀ ଭୋଟରଙ୍କୁ ମନାଇବା ପାଇଁ ଗତକାଲି ରାତିଅଧିଆ ପ୍ରଚାର କରିଛନ୍ତି ବିଜେପିର ଜାତୀୟ ସମ୍ପାଦକ ତଥା ମୟୂରଭଞ୍ଜ ସାଂସଦ ଇଁ ବିଶେଶ୍ୱର ଟୁଡୁ । ସାଂସଦ ବିଶେଶ୍ୱର ଟୁଡୁ ଗତକାଲି ତିର୍ତ୍ତୋଲ ସରଣୀ ଆଦିବାସୀ ପଡା ଓ ଲକ୍ ପଡାରେ ଆଦିବାସୀ ମାନଙ୍କୁ ଏକାଠି କରି ବୈଠକ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ବିଜେପିକୁ ଭୋଟଦେବାକୁ ସେମାନଙ୍କ ଭାଷାରେ ବୁଝାଉଥିବା ଦେଖିବାକୁ ମିଳିଛି । କେନ୍ଦ ସରକାର ବିକାଶର ମାର୍ଗ ଆପଣେଇ ଥିବା ବେଳେ ରାଜ୍ୟ ସରକାର ୨୦ବର୍ଷ ଧରି ବିକାଶ ନାଆଁରେ ବିନାଶ କରିଛି, ଲୋକେ ବୁଝିଗଲେଣି ଆସନ୍ତା ନିର୍ବାଚନରେ ଜବାବ ଦେବେ ଏବଂ ନିର୍ବାଚନ କଡା ଟକ୍କର ହେଵ ବୋଲି ଆଦିବାସୀ ନେତା ତଥା ମୟୂରଭଞ୍ଜ ବିଜେପି ସାଂସଦ ବିଶେଶ୍ୱର ଟୁଡୁ କହିଛନ୍ତି।