New Delhi; ଇନଷ୍ଟାଗ୍ରାମ ସମ୍ପ୍ରତ୍ତି ଏକ ନୂତନ ଅପଡେଟ୍ କରିଛି । କମ୍ପାନୀ ତାର ପ୍ଲାଟଫର୍ମରେ କଣ୍ଟେଣ୍ଟ ହ୍ୟାସଟ୍ୟାଗ ଲଗେଇବାର ସୀମା ଘୋଷଣା କରିଛି। ଏହା ଉଭୟ ରିଲ୍ ଏବଂ ପୋଷ୍ଟ ପାଇଁ ଲାଗୁ ହେବ । ଅର୍ଥାତ୍ ପୂର୍ବ ପରି ୟୁଜରମାନେ ନିଜ ଇଚ୍ଛା ମୁତାବକ ହ୍ୟାସଟାଗ୍ର ବ୍ୟବହାର କରିପାରିବେ ନାହିଁ । ଏବେ ଏହି ସୀମାକୁ ୫କୁ ଅଣାଯାଇଛି । ଏବେ କେବଳ ୫ଟି ହ୍ୟାସଟାଗ୍ କୌଣସି ପୋଷ୍ଟରେ ଲଗାଇପାରିବେ । ପୂର୍ବରୁ ପ୍ଲାଟଫର୍ମ ୟୁଜରଙ୍କୁ ଏକ ପୋଷ୍ଟରେ ୩୦ଟି ହ୍ୟାସଟାଗ୍ ଯୋଡିବାକୁ ଅନୁମତି ଦେଉଥିଲା । କିନ୍ତୁ ଏବେ ଏହାକୁ କମ୍ କରି ୫କୁ ଅଣାଯାଇଛି । ମେଟା-ମାଲିକାନାରେ ଥିବା ଏହି ସୋସିଆଲ ମିଡିଆ ଜାଏଣ୍ଟ ଅନୁଯାୟୀ, କମ ଏବଂ ଟାର୍ଗେଟେଡ୍ ହ୍ୟାସଟାଗ୍ ବ୍ୟବହାର କରିବା ଦ୍ବାରା କ୍ରିଏଟରମାନଙ୍କୁ କଣ୍ଟେଣ୍ଟ ଆବିଷ୍କାର ଏବଂ କାର୍ଯ୍ୟଦକ୍ଷତାରେ ଯଥେଷ୍ଟ ସାହାଯ୍ୟ ମିଳିପାରିବ ।

ଇନଷ୍ଟାଗ୍ରାମ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ସାଧାରଣତଃ କ୍ରିଏଟରମାନଙ୍କ ଦ୍ବାରା ବ୍ୟବହୃତ #reels କିମ୍ବା #explore ଭଳି ଜେନେରିକ୍ ହ୍ୟାସଟାଗ୍, ଏକ୍ସପ୍ଲୋର୍ ଫିଡ୍ ଏବଂ ଅନ୍ୟାନ୍ୟ ସ୍ଥାନରେ କଣ୍ଟେଣ୍ଟ ଦେଖାଯିବାକୁ “ପ୍ରକୃତରେ ସାହାଯ୍ୟ” କରନ୍ତି ନାହିଁ । ବିପରୀତରେ, ଏଗୁଡ଼ିକ କଣ୍ଟେଣ୍ଟର କାର୍ଯ୍ୟଦକ୍ଷତାକୁ କ୍ଷତି ପହଞ୍ଚାଇପାରେ । ଏଣୁ କମ, କିନ୍ତୁ କଣ୍ଟେଣ୍ଟକୁ ପ୍ରକାଶ କରିପାରୁଥିବା ଭଳି ହ୍ୟାସଟାଗ୍ ବ୍ୟବହାର କରିବାକୁ କମ୍ପାନୀ କହିଛି ।ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ଇନଷ୍ଟାଗ୍ରାମରେ ହ୍ୟାସଟାଗ୍ ସୀମା ଆସିବା ନେଇ ଏକ ପୂର୍ବର ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଇନଷ୍ଟାଗ୍ରାମ ପ୍ରତି ରିଲ୍ କିମ୍ବା ପୋଷ୍ଟରେ 3ଟି ହ୍ୟାସଟାଗ୍ ସୀମା ଲଗାଇବା ପାଇଁ ପରୀକ୍ଷା କରୁଛି । ଏକ ହ୍ୟାସଟାଗ୍ ଯୋଡ଼ିବା ସମୟରେ ଏକ ନୋଟିଫିକେସନ ପ୍ରକାଶିତ ହୋଇଥିଲା, ଯେଉଁଥିରେ କେବଳ3ଟି ହ୍ୟାସଟାଗ୍ ଅନୁମତି ଦିଆଯାଇଛି ବୋଲି କୁହାଯାଇଥିଲା ।