ନିରୀହ ଷଣ୍ଢ ପ୍ରତି ଅମାନୁଷିକ ଅତ୍ୟାଚାର

(ଅଜିତ ସାହୁ / ଜଳେଶ୍ୱର): ଦିନକୁ ଦିନ ମାନବିକତା ହରାଉଛି ମଣିଷ । ସଭ୍ୟ ସମାଜରେ ଶିକ୍ଷା ଓ ଆଧୁନିକତାର ଦ୍ୱାହି ଦେଉଥିବା ମଣିଷ ଏତେ ଯେ ନୃଶଂସ ଓ ରାକ୍ଷସ ଭଳି ଅମାନୁଷିକ କାର୍ୟ୍ୟ ଭିଆଇ ଥାଏ ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ବାଲିସାହି ଗ୍ରାମରେ ଏକ ଅଭାବନୀୟ ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଷଣ୍ଢ ମଳଦ୍ବାର ଭିତରେ କେହି ଜଣେ ବ୍ୟକ୍ତି ତିନି ଫୁଟ ଲମ୍ବର ଗୋଟିଏ ଅଛଡା ବାଉଂଶ ଲାଠି ଭର୍ତ୍ତି କରିଦେଇଥିବାରୁ ଷଣ୍ଢଟି ଚିତ୍କାର କରିବା ସହ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଏମିତିକି ମଳଦ୍ବାର ଦେଇ ପ୍ରଚୁର ରକ୍ତ ଶ୍ରାବ ମଧ୍ୟ ହେଉଥିଲା। ଷଣ୍ଢଟିର ଏପରି ଅବସ୍ଥା ଦେଖି ଗ୍ରାମର କିଛି ସ୍ବେଛାସେବୀ ଯୁବକ ମଳଦ୍ବାରରେ ପଶିରହିଥିବା ଲାଠିଟିକୁ ବାହାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଏହାପରେ ଭେଟନାରୀ ଡାକ୍ତରଙ୍କୁ ଡକାଇ ବହୁ କଷ୍ଟରେ ଲାଠିଟିକୁ ବାହାର କରିଥିଲେ। ଲାଠି ଦ୍ୱାରା ଷଣ୍ଢଟିର ମଳଦ୍ବାର ଏବଂ ପେଟ ଭିତରେ ଗଭିର ଆଘାତ ଲାଗିଥିବା କଥା ଡାକ୍ତର ଜଣକ କହିଛନ୍ତି । ତେବେ ଏଭଳି ଅମାନୁଷିକ କର୍ୟ୍ୟକୁ ସ୍ଥାନୀୟ ବାସ ନିନ୍ଦା କରିବା ସହିତ , ପ୍ରକୃତ ଦୋଷୀକୁ ଚିହ୍ନଟ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।