ନୂଆଦିଲ୍ଲୀ: ଭାରତରେ କୋଭିଡର ଦ୍ୱିତୀୟ ଲହର ସାରା ବିଶ୍ୱକୁ କରିଛି ବିଚଳିତ। ଆଗକୁ ଏହି ସଂକ୍ରମଣ ଆହୁରି ଉକ୍ରଟ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଆଇଆଇଟି କାନପୁର ବିଶେଷଜ୍ଞଙ୍କ ଅନୁଯାୟୀ ମେ ୩ ତାରିଖରୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବ। ବର୍ତ୍ତମାନ କରୋନାର ଯେଉଁ ତାଣ୍ଡବ ଦେଖି ଆମେ ହତବାକ୍ ହେଉଛେ ତାଠାରୁ ଆହୁରି ଭୟଙ୍କର ଦୃଶ୍ୟ ଆମକୁ ଦେଖିବାକୁ ମିଳିବ । ତେଣୁ ସରକାର ଏହାକୁ ଏଡାଇବାକୁ ଲକଡାଉନ୍, ଶଟଡାଉନ୍ କରୁଛନ୍ତି।
ଏହାକୁ ନେଇ ଆମେରିକାର କୋଭିଡ୍ ମହାମାରୀ ଟିମର ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଭାରତକୁ କିଛି ସପ୍ତାହ ପାଇଁ ଲକଡାଉନ୍ କରିବାକୁ ହେବ। ଯଦି ଲକଡାଉନ୍ ହେବ ତାହେଲେ କୋଭିଡ ସଂକ୍ରମଣର ଚେନ କାଟିହେବ। ଫାଉସି କହିଛନ୍ତି, ଲକଡାଉନ ସହିତ ଅକ୍ସିଜେନ, ଔଷଧ ଏବଂ ପିପିଇ କିଟକୁ ଆବଶ୍ୟକତାରୁ ଅଧିକ ମହଜୁଦ ରଖିବାକୁ ହେବ। ସେ କହିଛନ୍ତି ଚାଇନାରେ ଯେତେବେଳେ କରୋନା ବ୍ୟାପିଲା ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ଚାଇନାକୁ ଲକଡାଉନ କରିଦେଇଥିଲା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ଚାଇନା ସଫଳ ହେଲା।