ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରରେ ହେବ ଭାରତର ପ୍ରଥମ ଆଇଆଇଟି କ୍ୟାମ୍ପସ୍ । ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି କ୍ୟାମ୍ପସ୍ ଖୋଲିବା ନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଜାଞ୍ଜିବର ହେଉଛି ପୂର୍ବ ଆଫ୍ରିକା ଉପକୂଳ ଅନ୍ତର୍ଗତ ସମୁଦ୍ରରେ ବିସ୍ତୃତ ତାଞ୍ଜାନିଆ ଦ୍ବୀପପୁଞ୍ଜ ମଧ୍ୟରୁ ଗୋଟିଏ । ସେଠାରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ୍ ଖୋଲିବା ଲାଗି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
ଜାଞ୍ଜିବରରେ ପ୍ରଥମ ଆଇଆଇଟି କ୍ୟାମ୍ପସ୍ ସ୍ଥାପନକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଟୁଇଟ୍ କରି ଜଣାଇଛି । ଏଥିପାଇଁ ଭାରତର ଶିକ୍ଷା ମନ୍ତ୍ରାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବରର ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାଞ୍ଜିବରର ରାଷ୍ଟ୍ରପତି ହୁସେନ୍ ଅଲି ଏମୱିନିୟିଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି ରାଜିନାମା ସ୍ବାକ୍ଷରିତ ହୋଇଛି। ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତାଞ୍ଜାନିଆ ଗସ୍ତରେ ଅଛନ୍ତି ।
ଭାରତ ଓ ତାଞ୍ଜାନିଆ ମଧ୍ୟରେ ଏହି କ୍ୟାମ୍ପସ୍ ହେଉଛି ଦୀର୍ଘସ୍ଥାୟୀ ବନ୍ଧୁତ୍ବର ପ୍ରତିଫଳନ । ସମଗ୍ର ଦକ୍ଷିଣ ଆଫ୍ରିକା ଓ ଗ୍ଲୋବାଲ୍ ସାଉଥ୍ ସହିତ ଜନସମ୍ପର୍କ ସ୍ଥାପନ ପାଇଁ ଭାରତ ଦେଇଥିବା ଗୁରୁତ୍ବର ନିଦର୍ଶନ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ୨୦୨୩ ମସିହା ଅକ୍ଟୋବର ମାସରେ ଏହି କ୍ୟାମ୍ପସର ଶୁଭାରମ୍ଭ କରାଯିବ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କୁ ଅନ୍ୟ ଦେଶମାନଙ୍କରେ କ୍ୟାମ୍ପସ୍ ଖୋଲିବାକୁ ଉତ୍ସାହ ଦିଆଯିବ ବୋଲି ଜାତୀୟ ଶିକ୍ଷା ନୀତି ୨୦୨୦ ସୁପାରିସ କରିଛି।