କେଏଲ ରାହୁଲଙ୍କୁ ODI ସିରିଜ୍ ଅଧିନାୟକ, ଟିମ୍ କୁ ଫେରିଲେ ଅନେକ କିମ୍ୱଦନ୍ତୀ ଖେଳାଳି

ODI Series: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ପରେ, ODI କ୍ରିକେଟ୍ ଖେଳାଯିବ। ଏହି ସିରିଜ୍ ପାଇଁ ଏବେ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଗୌହାଟୀରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଚୟନ କମିଟି ବୈଠକ କରି କେଏଲ ରାହୁଲଙ୍କୁ ODI ସିରିଜ୍ ପାଇଁ ଅଧିନାୟକ ନିଯୁକ୍ତ କରିଛନ୍ତି। ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟରଙ୍କ ଅନୁପସ୍ଥିତି ଯୋଗୁଁ ରାହୁଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ରବିବାର, ନଭେମ୍ବର ୩୦ ତାରିଖରେ ରାଞ୍ଚିରେ ଆରମ୍ଭ ହେଉଛି। କିନ୍ତୁ ଏଥର ରାହୁଲ ଦଳର ନେତୃତ୍ୱ ନେବେ। ଦୁଇ ବର୍ଷର ବ୍ୟବଧାନ ପରେ ଏହି ଫର୍ମାଟରେ ଦଳର ଅଧିନାୟକତ୍ୱ କରିବେ ଏହି ୱିକେଟକିପର-ବ୍ୟାଟ୍ସ ମ୍ୟାନ। ସଂଯୋଗବଶତଃ, ସେ ଶେଷ ଥର ପାଇଁ ୨୦୨୩ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ। ଦଳ ବିଷୟରେ କହିବାକୁ ଗଲେ, ଆଶା ଅନୁଯାୟୀ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଚୟନ କରାଯାଇଛି। ହେଲେ ଅନ୍ୟ ଚାରି ଜଣ ଖେଳାଳି ଦଳକୁ ଫେରି ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସବୁଠାରୁ ଉଲ୍ଲେଖନୀୟ ହେଉଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା।