ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିର ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁ ନୟନ ସେଠଙ୍କୁ ଗିରଫ କରିଛି ପୁଲିସ । ପ୍ରେମ ପାଇଁ ହତ୍ୟା କରିଥିଲା ପୁରୁଷ ବନ୍ଧୁ । ଅନ୍ୟ ଯୁବକଙ୍କ ସହ ସ୍ନିଗ୍ଧାଙ୍କ ପ୍ରେମ ସମ୍ପର୍କ ଥିବା ନୟନ ସନ୍ଦେହ କରି ଏହି ଜଘନ୍ୟ କାଣ୍ଡ ଘଟାଇଥିବା କହିଛି । ଅନ୍ୟପଟେ ସ୍ନିଗ୍ଧା ଚାକିରି କରିବା ପରେ ଅନ୍ୟତ୍ର ବିବାହ କରିଦେବାକୁ ପ୍ରସ୍ତୁତ ହେଉଥିବା ଓ ଏଥିରେ କିଛି ମାତ୍ରାରେ ସ୍ନିଗ୍ଧା ସମ୍ମତ ଥିବା ନୟନକୁ ବିଚଳିତ କରିଥିଲା। ଘଟଣାଦିନ ସ୍ନିଗ୍ଧା ଲେଫ୍ରିପଡା ପହଞ୍ଚିବା ପରେ ନୟନ ସହ ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଏହାକୁ ନେଇ ୨ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏବଂ ଉତକ୍ଷିପ୍ତ ହୋଇ ନୟନ ଛୁରୀରେ ସ୍ନିଗ୍ଧାଙ୍କ ବେକ, ପେଟ ଓ ପିଠିକୁ ଭୁସି ହତ୍ୟା କରିଥିଲା। ଆଜି ଅପରାହ୍ନରେ ଗିରଫ ନୟନକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଖୁବଶୀଘ୍ର ତାକୁ ଘଟଣାସ୍ଥଳକୁ ନେଇ ତନାଘନା ତଦନ୍ତ ସହ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ ଲେଫ୍ରିପଡା ଥାନା ପୋଲିସ ।
ଖବର ଅନୁସାରେ ସୋମବାର ଦିନ ସ୍ନିଗ୍ଧା ଟିକିଲିପଡ଼ା ଘରୁ ନିଜ ସଂପର୍କୀୟ ଭାଇଙ୍କ ସହିତ ଅଫିସ ବାହାରିଥିଲେ । ଲେଫ୍ରିପଡ଼ାରେ କିଛି କାମ ଥିବାରୁ ସଂପର୍କୀୟ ଭାଇଙ୍କୁ ଘରକୁ ଫେରିଯିବା ପାଇଁ କହିଥିଲେ ସ୍ନିଗ୍ଧା । କିନ୍ତୁ ପରବର୍ତ୍ତୀ ସମୟରେ ତେଲେନଡିହିର ଭଡ଼ା ଘରକୁ କି ଅଫିସକୁ ସେ ଯାଇନଥିବା ଜଣାପଡ଼ିଥିଲା। ପରିବାର ଲୋକେ ଲେଫ୍ରିପଡ଼ା, ତେଲେନଡିହି ଆସି ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ନମିଳିବାରୁ ସନ୍ଧ୍ୟାରେ ଲେଫ୍ରିପଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ମଙ୍ଗଳବାର ଜଙ୍ଗଲରେ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ ପୁଲିସ ସ୍ନିଗ୍ଧାଙ୍କ ପୁରୁଷ ବନ୍ଧୁ ନୟନ ସେଠଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ତେବେ ହତ୍ୟାକାଣ୍ଡରେ ସେ ଜଣେ ନା ଆଉ କିଏ କିଏ ଅଛନ୍ତି ସେ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।