ଜମ୍ମୁ-କାଶ୍ମୀର ରଜୌରୀର ଡାଙ୍ଗରୀରେ ଆଇଡି ବ୍ଲାଷ୍ଟ

ଶ୍ରୀନଗର: ନୂଆ ବର୍ଷର ପ୍ରଥମ ଦିନରେ ମଧ୍ୟ ଅଶାନ୍ତ ହୋଇଉଠିଛି ଜାମୁ କାଶ୍ମୀର।ଆତଙ୍କବାଦୀମାନେ ବର୍ଷର ପ୍ରଥମ ଦିନରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି।ସନ୍ଧ୍ୟାରେ ଆତଙ୍କବାଦୀଙ୍କ ପକ୍ଷରୁ ରଜୌରୀ ଠାରେ ହୋଇଥିବା ଅନ୍ଧାଧୁନିଆ ଗୁଳି ମାଡ଼ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।ଆକ୍ରମଣର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ସୁରକ୍ଷା କର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ତେବେ ଗୁଳି ବିନିମୟରେ କେତେ ଆତଙ୍କବାଦୀ ସମ୍ପୃକ୍ତ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହା ବ୍ୟତୀତ ଆତଙ୍କବାଦୀ ରାଜଧାନୀ ଶ୍ରୀନଗରସ୍ଥିତ ହାୱାଲ ଚୌକ ଠାରେ ୨୮ ତମ ସିଆରପିଏଫ ବାଟାଲିୟନ ବଙ୍କର ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ରଜୌରୀ ଜିଲ୍ଲାର ଧଙ୍ଗ୍ରି ଅଞ୍ଚଳରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ ମହିଳା ଏବଂ ଶିଶୁ ସମେତ ଗୋଟିଏ ହିନ୍ଦୁ ପରିବାରର ପ୍ରାୟ ୯ ଜଣ ଆହତ ହୋଇଥିଲେ। ଅନ୍ୟପଟେ ଦିନ ବାରଟା ସମୟରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ସିଆରପିଏଫ ଯବାନଙ୍କ ହାତରୁ AK-47 ରାଇଫଲ ଛଡ଼ାଇ ନିଆ ଯାଇଥିବାର ଖବର ସାମ୍ନାକୁ ଆସିଥିଲା।

ଏହା ପରେ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଅବରୋଧ କରି ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ରାଇଫଲ ଛଡ଼ାଇ ନେଇଥିବା ଯୁବକଙ୍କୁ ତାଙ୍କ ପରିବାର ସଦସ୍ୟ ଥାନାକୁ ନେଇ ରାଇଫଲ ଫେରସ୍ତ କରିଥିଲେ। ରାଇଫଲ ଛଡ଼ାଇ ନେଇଥିବା ଯୁବକଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ୨୫ ବର୍ଷୀୟ ଇରଫାନ ବଶିର ଗାନି।