୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଉଇଡ ବା ମାରିଜୁଆନା ଜବତ

ଭୁବନେଶ୍ୱର:- ଭୁବନେଶ୍ୱରରେ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କମିଶନରେଟ ପୋଲିସ ବ୍ୟାଙ୍କକରୁ ଆସୁଥିବା ତିନି ଯାତ୍ରୀଙ୍କୁ ଅଟକ କରି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛି। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ, ମାଡ଼ି ବସିଥିଲା କଷ୍ଟମ ବିଭାଗ। ନିୟମିତ ଲଗେଜ ଯାଞ୍ଚ ସମୟରେ ଏହି ମାଦକ ଦ୍ରବ୍ୟ ଯାତ୍ରୀଙ୍କ ଲଗେଜରେ ଜବତ ହୋଇଥିଲା। ଅଟକ ହୋଇଥିବା ତିନି ଯାତ୍ରୀ ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି। ସେମାନେ ଅତ୍ୟନ୍ତ ଶକ୍ତିଶାଳୀ ଗଞ୍ଜେଇକୁ ଛଅଟି ସୁଟକେସରେ ଯତ୍ନର ସହ ଲୁଚାଇ ପରିବହନ କରୁଥିଲେ। ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା କାହିଁକି ଆସିଲା ସେସବୁକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

ଜବତ ଗଞ୍ଜେଇ ହାଇଡ୍ରୋପୋନିକ ପଦ୍ଧତି ବା ମାଟି ବିନା ଚାଷ ପ୍ରଣାଳୀରେ ଉତ୍ପାଦିତ, ଯାହାର ଉଚ୍ଚ ଶକ୍ତି ଓ ଅଧିକ ଉତ୍ପାଦନ ହେତୁ ବଜାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ଏକ କୋଟି ଟଙ୍କାରୁ ଅଧିକ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ଏକ ବିସ୍ତୃତ ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱାର୍କର ଅଂଶ। ଓଡ଼ିଶା, ବିଶେଷତ ଭୁବନେଶ୍ୱର, ଏକ ବେଆଇନ ଚାଲାଣ ପାଇଁ ଗେଟୱେ ଭାବେ ବ୍ୟବହୃତ ହେଉଥିବା ସନ୍ଦେହ ରହିଛି। ଅଧିକାରୀମାନେ ଓଡ଼ିଶାର ଏକ ସଙ୍ଗଠିତ ଚୋରାଚାଲାଣ ରୁଟ ସହ ସମ୍ପର୍କ ତଦନ୍ତ କରୁଛନ୍ତି ଏବଂ ସୀମାପାର ଚୋରାଚାଲାଣ ରୋକିବା ପାଇଁ ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।