କଟକ: ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଅର୍ପିତା ଏବଂ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ହ୍ୟୁମାନଙ୍କ ମା’ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ଥାନାର ଏହି ମାମଲାରେ ଆବେଦନକାରୀଙ୍କୁ ହେପାଜତକୁ ନ ନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରେ ହ୍ୟୁମାନ ସାଗରଙ୍କ ମା ତଥା ଏତଲାକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ନୋଟିସ ଜାରି କରିଛନ୍ତି ଅଦାଲତ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନରେଟ ପୋଲିସ ଅର୍ପିତା ଓ ସୋମେଶଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ରହିଛି । ଫେବ୍ରୁଆରୀ ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଡିସେମ୍ବର ୨୧ ରେ ସେଫାଳି ସୁନା ପୁଅର ମୃତ୍ୟୁ ପାଇଁ ଅର୍ପିତା ଓ ସୋମେଶଙ୍କ ସମେତ ୯ ଜଣ ଦାୟୀ ବୋଲି ଅଭିଯୋଗ କରି ମର୍କତନଗର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାପରେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।