ନୂଆଦିଲ୍ଲୀ: ୟେମେନର ରାଜଧାନୀ ସନାରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ସନାରେ ହୁତି ନିୟନ୍ତ୍ରିତ ସରକାରର ପ୍ରଧାନମନ୍ତ୍ରୀ ଅହମ୍ମଦ ଅଲ-ରହାଓ୍ବି ନିହତ ହୋଇଛନ୍ତି। ବିଦ୍ରୋହୀ ସଂଗଠନ ହୁତି ପକ୍ଷରୁ ଏକ ବିବୃତିରେ ଏ ନେଇ ସ୍ପଷ୍ଟ କରାଯାଇଛି। ଆକ୍ରମଣରେ ହୁତିର ୧୦ କମାଣ୍ଡର ନିହତ ହୋଇଥିବାବେଳେ ୯୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ହୁତି ଶନିବାର ଏକ ବିବୃତ୍ତିରେ କହିଛି ଯେ ଗୁରୁବାର ଦିନ ଏକ ବିମାନ ଆକ୍ରମଣରେ ଅଲ-ରହାବିଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ମୃତ୍ୟୁ ହୋଇଛି। ହୁତି ଉଲ୍ଲେଖ କରିଛି ଯେ ଗତ ବର୍ଷ ସରକାରଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ପାଇଁ ଅଧିକାରୀମାନେ ଏକ କର୍ମଶାଳାରେ ଯୋଗଦେବା ସମୟରେ ଏହି ଆକ୍ରମଣ ହୋଇଥିଲା। ଇରାନ ସମର୍ଥିତ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ହୁତି ଅଗଷ୍ଟ ୨୮ରେ ୟେମେନରୁ ଇସ୍ରାଏଲ୍ ଉପରେ ମିସାଇଲ୍ ଓ ଡ୍ରୋନ୍ ଆଟାକ୍ କରିଥିଲା । ଏହାର ଜବାବରେ ଇସ୍ରାଏଲୀ ଏୟାରଫୋର୍ସ ହୁତି ନିୟନ୍ତ୍ରିତ ସନା ଉପରେ ବୋମା ବର୍ଷା କରିଥିଲା । ଏହି ଆକ୍ରମଣରେ ବିଦ୍ରୋହୀ ଗୋଷ୍ଠୀର ସୈନ୍ୟ ଠିକଣା ଓ ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରିଥିଲା ।
ରିପୋର୍ଟ ଅନୁସାରେ ଇସ୍ରାଏଲ୍ ଆକ୍ରମଣରେ ଅତି କମରେ ୧୦ ହୁତି କମାଣ୍ଡର ମୃତ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆକ୍ରମଣ ସମୟରେ ହୁତି ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଅଲ-ଅତି ଏବଂ ସେନା ମୁଖ୍ୟ ମହମ୍ମଦ ଅବ୍ଦ ଅଲ-କରୀମ ମଧ୍ୟ ରହାଓ୍ବିଙ୍କ ସହିତ ବୈଠକରେ ଉପସ୍ଥିତ ଥିଲେ। ଆକ୍ରମଣରେ ଏହି ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହୁତି ପକ୍ଷରୁ କିନ୍ତୁ ଏହି ଦୁଇ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇନାହିଁ।