ବ୍ୟବସାୟ ଆଳରେ ରୋଗୀଙ୍କ ଠାରୁ ୬୮ ଲକ୍ଷ ଟଙ୍କ ଠକିଲେ ହୋମିଓପ୍ୟାଥିକ୍ ଡାକ୍ତର
ରୋଗୀଙ୍କୁ ୬୮ ଲକ୍ଷ ଟଙ୍କା ଠକିଲେ ହୋମିଓପ୍ୟାଥିକ୍ ଡାକ୍ତର
କଟକ:ବ୍ୟବସାୟ ଆଳରେ ରୋଗୀଙ୍କଠାରୁ ୬୮ ଲକ୍ଷ ଟଙ୍କ ଠକିଲେ ହୋମିଓପ୍ୟାଥିକ୍ ଡାକ୍ତର। ଠକ ଡାକ୍ତରଙ୍କୁ ବାଦାମବାଡି ଥାନା ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଦାମବାଡି ମିଶ୍ର ଲେନରେ ରହୁଥିବା ସଂଗ୍ରାମ କେଶରୀ ପଟ୍ଟନାୟକ । ଠକ ଡାକ୍ତର ଦୁଇଟି ବିବାହ କରିଥିବା ସାଧାରଣ ମହଲରେ ଚର୍ଚ୍ଚା ହେଇଛି । ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଦୁଇଟି ସନ୍ତାନ ଥବାବେଳେ ଦ୍ଵିତୀୟ ପତ୍ନୀଙ୍କ ଠାରୁ ଗୋଟିଏ ସନ୍ତାନର ସୂଚନା ମିଳିଛି । ତେବେ ଗିରଫ ଅଭିଯୁକ୍ତକୁ ଆଜି ପୋଲିସ କେର୍ଟଚାଲାଣ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ହୋମିଓପ୍ୟାଥିକ୍ ଡାକ୍ତର ସଂଗ୍ରାମ କେଶରୀ ନିକଟରେ କଲେଜଛକ ଅଞ୍ଚଳରେ ବନ୍ଦିତା ସାହୁ ଓ ତାଙ୍କ ପରିବାର ଲୋକ କିଛି ବର୍ଷ ହେଲା ତାଙ୍କ ଠାରେ ଚିକିତ୍ସିତ ହୋଉଥିଲେ ।ଦୀଘ ବର୍ଷ ଧରି ଚିକିତ୍ସିତ ହେଉଥିବାରୁ ଡାକ୍ତରଙ୍କ ସହିତ ଶ୍ରୀମତୀ ସାହୁଙ୍କ ପରିବାରର ସମ୍ପର୍କ ଘନିଷ୍ଟ ହୋଇଥିଲା ।୨୦୨୧ ମସିହାରେ ଡାକ୍ତର ସଂଗ୍ରାମ କେଶରୀ ପଟ୍ଟନାୟକ ମିଳିତ ଭାବେ ଏକ ବଡ଼ଧରଣର ବ୍ୟବସାୟ କରିବାକୁ ବନ୍ଦିତା ସାହୁ ଓ ତାଙ୍କ ପରିବାରକୁ ପ୍ରସ୍ତାବ ଦେଇଥିଲେ ।ଏହି ବ୍ୟବସାୟରେ ବିପୁଳ ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଭଲ ସଂମ୍ପର୍କ ଥିବାରୁ ଡାକ୍ତରଙ୍କ କଥା ଉପରେ ପରିବାର ଲୋକ ଭରସା କରିଥିଲେ । ଡାକ୍ତରଙ୍କ ସହ ମିଳିତ ବ୍ୟବସାୟ ପାଇଁ ପରିବାର ଲୋକ ରାଜି ହୋଇଥିଲେ ।ପରେ ଡାକ୍ତରଙ୍କ କହିବା ଅନୁସାରେ ଏକାଧିକ କିସ୍ତିରେ ଶ୍ରୀମତୀ ସାହୁଙ୍କ ପରିବାର ମୋଟ୍ ୬୮ ଲକ୍ଷ ୫୦ ହଜାର ଟଙ୍କା ଦେଲେ ।ଏହା ପରେ ବ୍ୟବସାୟ ଆରମ୍ଭ ହେବ ଓ ଲାଭ ଆସିବା ନେଇ ଶ୍ରୀମତି ସାହୁଙ୍କ ପରିବାର ଲୋକ ଅପେକ୍ଷା କଲେ ।ହେଲେ ମାସ ପରେ ମାସ ଗଡି ଚାଲିବା ସତ୍ୱେ ବ୍ୟବସାୟ ଆରମ୍ଭ ହେଲାନି କି ଲାଭ ଟଙ୍କା ଆସିଲା ନହିଁ ।
ଏନେଇ ଡାକ୍ତରଙ୍କୁ ପଚାରିବାରୁ ସେ ଅପେକ୍ଷା କରିବାକୁ କହିଲେ । ବର୍ଷଧିକ ସମୟ ଅପେକ୍ଷା ପରେ ବି ବ୍ୟବସାୟର କିଛି ସୂଚନା ନମିଳିବାରୁ ସାହୁ ପରିବାର ଟଙ୍କା ଫେରସ୍ତ ମାଗିଥିଲେ ।ହେଲେ ଡାକ୍ତର ପଟ୍ଟନାୟକ ଧରାଛୁଆଁ ଦେଇ ନଥିଲେ । ଆଜି ଦେବି କାଲି ଦେବି କହି ସମୟ ଗଡାଇବାକୁ ଲାଗିଥିଲେ ।ଫଳରେ ଶ୍ରୀମତୀ ସାହୁ ବାଦାମବାଡି ଥାନାରେ ଗତ ସପ୍ତାହରେ ରିପେର୍ଟ ଲେଖାଇଥିଲେ । ପୋଲିସ ଅଭିଯୋଗ ପାଇ ସଂପୂର୍ଣ୍ଣ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ଡାକ୍ତର ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଗିରଫ କରିଛି ।ତେବେ ଡାକ୍ତର ସେହି ଟଙ୍କାରେ କଣ କରିଛନ୍ତି ତାହାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି ।