ଭୁବନେଶ୍ୱର: ଦେବଗଡ଼ ରିଜର୍ଭ ପୋଲିସ ପଡିଆରେ ହୋମଗାର୍ଡ ଶାରିରୀକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଅଘଟଣ । ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଟଳିପଡ଼ିଲେ ପରୀକ୍ଷାର୍ଥୀ । ମୃତକ ଜଣକ ରିଆମାଳ ଥାନା ବୁଡିଦୋ ଗାଁର ସାହେବ ଦେହୁରୀ । ନିୟମ ଅନୁସାରେ ହୋମଗାର୍ଡ ପଦ ପାଇଁ ଦୌଡ ପରୀକ୍ଷା କରାଯାଉଥିଲା । ଇଣ୍ଟରଭ୍ୟୁ ବେଳେ ଦୌଡ଼ ପରୀକ୍ଷା ପରେ ଅସୁସ୍ଥ ହୋଇପଡ଼ିଥିଲେ ସାହେବ । ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଚିକିତ୍ସାରେ ଅବହେଳା ପାଇଁ ସାହେବର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ତେବେ ପରିକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସାହେବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।