ହୋଲିରେ ଅଘଟଣ: ସିଂହନାଥ ପୀଠ ନିକଟରେ ନାବାଳକଙ୍କ ମୃତ୍ୟୁ

ଆଠଗଡ: ରଙ୍ଗର ପର୍ବ ହୋଲିକୁ ନେଇ ଏକ ପଟେ ହସଖୁସିର ମାହୋଲ ଥିବାବେଳେ ଅନ୍ୟ ପଟେ ଆସିଛି ହୃଦୟବିଦାରକ ଖବର। ଆଠଗଡ ଅଞ୍ଚଳର ଗୋପିନାଥପୁର ନିକଟସ୍ଥ ସିଂହନାଥ ପୀଠକୁ ସଂଯୋଗ କରୁଥିବା ଅସ୍ଥାୟୀ କାଠ ପୋଲ ନିକଟରେ ଭାସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ସ୍ଥାନୀୟ ତୃଣପୁର ଗ୍ରାମର ଜୀବନ ବେହେରା। ସେ ସାଙ୍ଗସାଥୀଙ୍କ ସହିତ ହୋଲି ଖେଳି ସାରି ନଦୀରେ ଗାଧାଉଥିବା ସମୟରେ ପାଣିର ସୁଅରେ ଭାସିଯାଇଥିଲେ।

ଘଟଣା ପରେ ଗ୍ରାମବାସୀମାନେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ମହାନଦୀର ଏକ କୁଦରୁ ଜୀବନଙ୍କୁ ଉଦ୍ଧାର କରାଯାଇଥିଲା। ସଙ୍ଗେସଙ୍ଗେ ପୋଲିସ ଗାଡ଼ିରେ ତାଙ୍କୁ ବଡମ୍ବା ଡାକ୍ତରଖାନାକୁ ଆଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୀବନଙ୍କ ଅକାଳ ମୃତ୍ୟୁରେ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରଙ୍ଗର ହୋଲି ଲୁହରେ ଭିଜିଯାଇଛି।