କୁଲଗାମ୍ରେ ସେନା ଗୁଳିରେ ଆତଙ୍କବାଦୀ ନିହତ
ଲଗାତାର ଭାବେ ସେନା ଗୁଳିରେ ଆତଙ୍କବାଦୀ ସଂଗଠନ ଦୁର୍ବଳ ହେବାରେ ଲାଗିଛି ।
(ଜାମ୍ମୁକାଶ୍ମୀର) : ଲଗାତାର ଭାବେ ସେନା ଗୁଳିରେ ଆତଙ୍କବାଦୀ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଜାମ୍ମୁକାଶ୍ମୀରର କୁଲଗାମରେ ଜଣେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଛି । କୁଲଗାମର ଖଣ୍ଡିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ପୋଲିସ ଏବଂ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି ।
ସୂଚନାନୁଯାୟୀ , ଦେଶରେ ଟାର୍ଗେଟ କିଲିଂ ପରେ, ଆତଙ୍କବାଦୀଙ୍କ ବିରୋଧରେ ନୂଆ ରଣନୀତି ସହିତ ଅଭିଯାନ ଚାଲିଛି , ଯେଉଁଥିରେ ସୁରକ୍ଷା ବାହିନୀ ସଫଳତା ପାଇଛନ୍ତି । ନିକଟରେ କାଶ୍ମୀର ଘାଟିରେ ଟାର୍ଗେଟ କିଲିଂ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀରରେ ସୁରକ୍ଷା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏହି ସଭାରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସେନା ମୁଖ୍ୟ ମନୋଜ ପାଣ୍ଡେ ଏବଂ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ ।
ଅନ୍ୟପଟେ , ଦିନକୁ ଦିନ ହିଂସ୍ର ହୋଇପଡୁଛି ଆତଙ୍କବାଦୀ ସଂଗଠନ । ଜାମ୍ମୁ କାଶ୍ମୀରରେ ଗତ କିଛିଦିନ ହେଲା ଆତଙ୍କବାଦୀ ଦମନ ଅଭିଯାନ ଜୋରଦାର କରାଯାଉଛି । ଯାହାକୁ ନେଇ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଆକ୍ସନ୍ ମୋଡରେ ରହିଛି । ବୁଧବାର ମଧ୍ୟ ରାତ୍ରିରେ ଜାମ୍ମୁ କାଶ୍ମୀର ଏବଂ ପୋଲିସର ମିଳିତ ଅପରେସନ ଯୋଗୁଁ ଶୋପିଆନ୍ ଜିଲ୍ଲା ଅଲରାରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।