ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ଗୌହାଟୀ: ଅ।।ଜି ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି। ଗତକାଲି ବିଜେପି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ଶର୍ମାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ଦଳୀୟ ବୈଠକରେ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।
ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୀତିରେ ସକ୍ରୀୟ ରହିଆସୁଛନ୍ତି । ୧୯୯୧-୯୨ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରୁଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆ ହିମନ୍ତଙ୍କୁ କଂଗ୍ରେସରେ ସାମିଲ କରିଥିଲେ। ସେ ୨୦୦୬, ୨୦୧୧ ଓ ୨୦୧୬ ନିର୍ବାଚନରେ ବିଜୟୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଶାସନ କାଳରେ ହିମନ୍ତ ଦଳରେ ୨ ନମ୍ବର ସ୍ଥାନରେ ରହି ଆସିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାମ କରିଥିଲେ। ୨୦୧୩ରେ ହିମନ୍ତ ଦଳରେ ମତପାର୍ଥକ୍ୟକୁ ନେଇ ଦଳରୁ ଦୂରେଇ ଯାଇଥିଲେ ଓ ପରେ ୨୦୧୫ରେ ୧୦ ବିଧାୟକଙ୍କୁ ଧରି ବିଜେପିରେ ସାମିଲ ହୋଇଥିଲେ। ୨୦୧୬ରେ ବିଜେପି ଆସାମ ହାତେଇବାରେ ହିମନ୍ତଙ୍କ ଭୂମିକା ପ୍ରମୁଖ ଥିଲା । ସେ ସୋନୱାଲଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ବିଭାଗର ଦାୟିତ୍ୱ ପାଇଥିଲେ ।