୧୫ ଶହରୁ ୨ ହଜାରରେ ବିକ୍ରି ହେଉଛି ଇଲିସି ମାଛ

ଦର ଉଚ୍ଚା ଥିବାରୁ ନିରାଶ ହେଉଛନ୍ତି ଗ୍ରାହକ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ସାମୁଦ୍ରିକ ମୁହାଣରେ ଟନ ଟନ ଇଲିସି ଦେଖିବାକୁ ମିଳିଛି। ହେଲେ ଇଲିସିର ଦର ୧୫ ଶହରୁ ୨ ହଜାର ଟଙ୍କା ରହିଛି। ତେବେ ସମୁଦ୍ରରେ ପୂର୍ବାଳି ପବନ ବହୁଥିବାରୁ ଇଲିସି ଉତ୍ପାଦନ ବଢୁଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ତେବେ ଗତବର୍ଷ ଏତେ ପରିମାଣର ଇଲିସି ମାଛ ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଲଗାଣ ବର୍ଷା ଓ ପବନ ଯୋଗୁ ଇଲିସି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଥିବା ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି। ଛେଟ ଇଲିସି ଏତେଟା ମିଳୁନଥିବାବେଳେ ବଡ ଇଲିସି ଗୁଡିକ ଜାଲରେ ପଡୁଛି। ବଡ ଇଲିସିର ଦର ବଜାରରେ ଚାହିଦା ଥିବାରୁ ଏହାର ଦର ଉଚ୍ଚା ରହିଛି। ୧ କିଲୋରୁ ୧.୫ କିଲୋ ଇଲିସିର ଦର ୧୫ଶହରୁ ୨ ହଜାର ଟଙ୍କା ରହିଥିବାବେଳେ ୧ କିଲୋ ତଳକୁ ଇଲିସିର ଦର ୧୨୦୦ ଟଙ୍କାରେ ବିକ୍ରି ହେଉଛି। ଅଧା କିଲୋରୁ ୬ଶହ ଗ୍ରାମ ଇଲିସିକୁ ୫ଶହରୁ ୬ଶହ ଟଙ୍କାରେ ବିକ୍ରି ହେଉଛି। ଇଲିସିର ଦର ଆକାଶ ଛୁଆଁ ହୋଇଥିବାରୁ ଗ୍ରାହକମାନେ ନିରାଶ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ୟବସାୟୀମାନେ ଇଲିସି ମାଛକୁ କଲିକତା, ଖଡଗପୁରକୁ ରପ୍ତାନୀ କରିଥାନ୍ତି। ଏପରି ପାଗ ଜାରି ରହିଲେ ଇଲିସି ଦର ଖସିବ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ କୀର୍ତନୀୟା ସାମୁଦ୍ରିକ ମୁହାଣରେ ମଧ୍ୟ ଇଲିସି ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଥିବା ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ୧୮ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ମାଛ ଥିବା ସତ୍ତେ୍ୱ ଦର ଉଚ୍ଚା ରହୁଥିବାରୁ ଗ୍ରାହକମାନେ ମାଛ କିଣି ନପାରି ନିରାଶ ହେଉଥିବା ଜଣାପଡିଛି।