୭୫ ବର୍ଷ ବୟସରେ ମାଗଣାରେ ବାସନ୍ତୀ ପଢାଉଛନ୍ତି ପାଠ

ଜଳେଶ୍ୱର/ ଅଜିତ ସାହୁ : ବସ୍ତା ଅଞ୍ଚଳରେ ଆଉଜଣେ ନନ୍ଦ ସାର । ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୭୫ ବର୍ଷ ବୟସରେ ବି ପିଲାଙ୍କୁ ଦେଉଛନ୍ତି ଶିକ୍ଷାଦାନ । ଯେଉଁଥି ପାଇଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳେ ବାସନ୍ତି ଜେଠେଇ ମାଆଙ୍କ କଥା। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ରଘୁନାଥପୁର ପଞ୍ଚାୟତ ମାଛରଙ୍କା ଗ୍ରାମର ବାସନ୍ତୀ ମିଶ୍ର ଓରଫ ବାସନ୍ତୀ ଜେଠେଇ ମାଆ । ବୟଷ ୭୫ ବର୍ଷରୁ ଅଧୀକ। ଆଖିରେ ଚଷମା ଲାଗି ନାହିଂ । ଶିକ୍ଷାଗତ ଯୋଗ୍ୟତା କମ୍ ଥାଇ ବି ପିଲାଙ୍କୁ ଅତି ସହଜ ଓ ସରଳ ଭାଷାରେ ପଢାଇ ପାରନ୍ତି ପାଠ । ପରିଣତ ବୟସରେ ପରିବାରଙ୍କ ସହ ସମୟ ଅତିବାହିତ କରିବା କଥା, ମାତ୍ର ସେସବୁ ନକରି ତାଙ୍କୁ ଘାରିଛି ଶିକ୍ଷା ଦାନ କରିବାର ନିଶା। ମାଗଣା ଶିକ୍ଷାଦାନ କରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ କରିବା ସହିତ, ନିଜେ ଆତ୍ମ ସନ୍ତୋଷ ପାଇଥାନ୍ତି । ସକାଳ ସନ୍ଧ୍ୟା ପିଲାଙ୍କ ଗହଣରେ ରହି, ପାଠ ପଢାଇ, ଖୁବ ଆନନ୍ଦରେ ଦିନ କାଟି ଦେଇଥାନ୍ତି । ପାଠ ପଢା ସମୟରେ ସେ ପିଲା ମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତି ନାହିଁ କି ମାଡ ମାରନ୍ତି ନାହିଁ । ୩୦ ବର୍ଷ ପୂର୍ବେ ସ୍ୱାମୀ ପ୍ରିୟନାଥ ମିଶ୍ରଙ୍କ ଦେହାନ୍ତ ପରେ ଭାଙ୍ଗି ପଡିନଥିଲେ ବାସନ୍ତୀ । ଛୋଟ ଛୋଟ ଦୁଇ ପୁଅଙ୍କ ନେଇ ଆର୍ଥିକ ଅନାଟନ ଭିତରେ ବହୁ କଷ୍ଟରେ ପରିବାର ଚଳାଇଥିଲେ ମଧ୍ୟ କାହା ପାଖରେ ହାତ ନପତାଇ , ଟ୍ୟୁସନ ଆରମ୍ଭ କରିଥିଲେ। ମାତ୍ର ଗ୍ରାମାଅଞ୍ଚଳର ପିଲା ଓ ଅଭିଭାବକ ମାନେ ଟଙ୍କା ଦେବାରେ ଅସମର୍ଥ ହେଲେ ବି , ପିଲାଙ୍କ ଭଲପାଇବା ଆଉ ଭବିଷ୍ୟତ କୁ ଆଖି ଆଗରେ ରଖି ସେ ଟିଉସନ ବନ୍ଦ କରିନାହାନ୍ତି ।ତାଙ୍କ ଠାରୁ ପାଠପଢି ଅନେକ ପିଲା ବଡ ବଡ ଅଧୀକାରୀ ହୋଇ ପାରିଛନ୍ତି। ପିଲା ମାନଙ୍କ ଗହଣରେ ରହି ସମୟର ସଦୁପଯୋଗ କରିବା ସହିତ ସ୍ବାମୀଙ୍କୁ ହରାଇଥିବା ଦୁଃଖ ଭୁଲି ଯାଇଛନ୍ତି ବାସନ୍ତୀ । ଯାହା ତାଙ୍କ ଜୀବନର ସାର୍ଥକତା ବୋଲି ସେ ପ୍ରକାଶ କରିଛନ୍ତି।