କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀ ୧୨ ତୋଗଲକ ରୋଡସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି। ସେ ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିଛନ୍ତି। ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା। ନିୟମ ଅନୁଯାୟୀ କୌଣସି କାରଣରୁ କୌଣସି ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଗଲେ ସେ ଆଉ ସରକାରୀ ଘରେ ରହିପାରିବେ ନାହିଁ। ତା’ସହିତ ଘର ଛାଡ଼ିବା ପାଇଁ ତାଙ୍କୁ ମାସେ ସମୟ ଦେବାର ବ୍ୟବସ୍ଥା ରହିଛି।
ଘର ଛାଡ଼ିବାକୁ ନୋଟିସ୍ ପାଇବା ପରେ, ଏପ୍ରିଲ ୧୪ରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ରାହୁଲ। ସେହିଦିନ ସେ ତାଙ୍କ ଅଫିସ୍କୁ ସେଠାରୁ ତାଙ୍କ ମା’ଙ୍କ ଘରକୁ ଉଠାଇ ନେଇଥିଲେ। ତା’ ସହିତ କିଛି ଜିନିଷପତ୍ର ମଧ୍ୟ ନେଇଯାଇଥିଲେ। ଗତକାଲି ଅପରାହ୍ଣରେ ଗୋଟିଏ ଟ୍ରକରେ ତାଙ୍କର ଅନ୍ୟ ସମସ୍ତ ଜିନିଷ ନେଇ ଯାଇଥିଲା। ଆଉ ଆଜି ସେ ଘର ଛାଡ଼ି ଦେଇଥିଲେ। ଘର ପୂରା ଖାଲି କରିବା ପୂର୍ବରୁ ଆଜି ସେ ଦୁଇ ଥର ତାଙ୍କ ଭଉଣୀ ପ୍ରିୟଙ୍କା ସହିତ ଏଠାକୁ ଆସିଥିଲେ ବୋଲି ଜଣାପଡ଼ିଛି। ଏବେ କିଛି ଦିନ ରାହୁଲ ତାଙ୍କ ମା’ଙ୍କ ଘରେ ରହିବେ। ତାଙ୍କର ସମସ୍ତ ଜିନିଷପତ୍ର ମଧ୍ୟ ତାଙ୍କ ମା’ଙ୍କ ଘରେ ରଖାଯାଇଛି।
ଆଜି ସରକାରୀ ଘର ଛାଡ଼ିବା ପରେ ରାହୁଲ କହିଛନ୍ତି, ଦେଶବାସୀଙ୍କ ଯୋଗୁ ୧୯ ବର୍ଷ ହେଲା ମୁଁ ଏହି ଘରେ ଥିଲି। ମୁଁ ସେମାନଙ୍କୁ ସେଥିପାଇଁ ଧନ୍ୟବାଦ ଦେବି। ମୋତେ ସତ କହିବାର ମୂଲ୍ୟ ଦେବାକୁ ପଡ଼ିଛି। ତେବେ ସତ କହିବା ପାଇଁ ମୁଁ ଯେକୌଣସି ମୂଲ୍ୟ ଦେବାକୁ ରାଜି ଅଛି।
‘ମୋଦି ସରନେମ୍’ ଅପରାଧିକ ମାନହାନୀ ମାମଲାରେ ମାର୍ଚ୍ଚ ୨୩ ତାରିଖରେ ସୁରତର କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। କୋର୍ଟଙ୍କ ରାୟ ଆସିବାର ୨୪ ଘଣ୍ଟା ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା। ପରେ ରାହୁଲ ତଳ କୋର୍ଟଙ୍କ ଏହି ରାୟକୁ ସୁରତର ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସେସନ୍ସ କୋର୍ଟରୁ ମଧ୍ୟ ତାଙ୍କୁ ଝଟକା ମିଳିଥିଲା। ତଳ କୋର୍ଟ ତାଙ୍କୁ ଶୁଣାଇଥିବା ୨ ବର୍ଷର ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଥିଲେ ସେସନ୍ସ କୋର୍ଟ। ସେସନ୍ସ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧି ଆସନ୍ତା ସପ୍ତାହରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡ଼ିଛି।